Online Bible

- Reklamy -

2 ରାଜାବଳୀ 21 - ଓଡିଆ ବାଇବେଲ


ଯିହୁଦାର ରାଜା ମନଃଶି

1 ମନଃଶି ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ବାର ବର୍ଷ ବୟସ୍କ ଥିଲେ ଓ ସେ ଯିରୂଶାଲମରେ ପଞ୍ଚାବନ ବର୍ଷ ରାଜ୍ୟ କଲେ ଆଉ ତାଙ୍କର ମାତାଙ୍କ ନାମ ହୀଫ୍‍ସୀବା ଥିଲା।

2 ପୁଣି ସଦାପ୍ରଭୁ ଯେଉଁ ଅନ୍ୟ ଦେଶୀୟମାନଙ୍କୁ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରୁ ଦୂର କରି ଦେଇଥିଲେ, ସେମାନଙ୍କର ଘୃଣାଯୋଗ୍ୟ କ୍ରିୟାନୁସାରେ ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ।

3 କାରଣ ତାଙ୍କର ପିତା ହିଜକୀୟ ଯେଉଁ ଉଚ୍ଚସ୍ଥଳୀମାନ ବିନାଶ କରିଥିଲେ, ସେ ପୁନର୍ବାର ତାହାସବୁ ନିର୍ମାଣ କଲେ ଓ ଇସ୍ରାଏଲର ରାଜା ଆହାବ ଯେପରି କରିଥିଲେ, ସେପରି ସେ ବାଲ୍‍ ନିମନ୍ତେ ଯଜ୍ଞବେଦିମାନ ପ୍ରସ୍ତୁତ କଲେ, ଓ ଆଶେରା ମୂର୍ତ୍ତି ନିର୍ମାଣ କଲେ, ଓ ଆକାଶସ୍ଥ ବାହିନୀ ସକଳକୁ ପୂଜା କରି ସେମାନଙ୍କର ସେବା କଲେ।

4 ପୁଣି ଆମ୍ଭେ ଯିରୂଶାଲମରେ ଆପଣା ନାମ ସ୍ଥାପନ କରିବା ବୋଲି ସଦାପ୍ରଭୁ ଯେଉଁ ଗୃହ ବିଷୟରେ କହିଥିଲେ, ସଦାପ୍ରଭୁଙ୍କ ସେହି ଗୃହରେ ସେ ଯଜ୍ଞବେଦିମାନ ନିର୍ମାଣ କଲେ।

5 ଆହୁରି ସେ ସଦାପ୍ରଭୁଙ୍କ ଗୃହର ଦୁଇ ପ୍ରାଙ୍ଗଣରେ ଆକାଶସ୍ଥ ବାହିନୀ ସକଳ ନିମନ୍ତେ ଯଜ୍ଞବେଦିମାନ ନିର୍ମାଣ କଲେ।

6 ପୁଣି ସେ ଆପଣା ପୁତ୍ରକୁ ଅଗ୍ନି ମଧ୍ୟ ଦେଇ ଗମନ କରାଇଲେ ଓ ଶୁଭାଶୁଭ କହିବାର ବିଦ୍ୟା, ଓ ଗଣକତା ବ୍ୟବହାର କଲେ, ଆଉ ଭୂତୁଡ଼ିଆ ଓ ଗୁଣିଆମାନଙ୍କ ସହିତ ସମ୍ପର୍କ ରଖିଲେ। ସେ ସଦାପ୍ରଭୁଙ୍କୁ ବିରକ୍ତ କରିବା ନିମନ୍ତେ ତାହାଙ୍କ ଦୃଷ୍ଟିରେ ବହୁତ କୁକର୍ମ କଲେ।

7 ଆହୁରି ସେ ମନ୍ଦିରରେ ଆପଣା ନିର୍ମିତ ଆଶେରାର ଖୋଦିତ ମୂର୍ତ୍ତି ସ୍ଥାପନ କଲେ। ସେହି ମନ୍ଦିର ବିଷୟରେ ସଦାପ୍ରଭୁ ଦାଉଦଙ୍କୁ ଓ ତାଙ୍କର ପୁତ୍ର ଶଲୋମନଙ୍କୁ କହିଥିଲେ, “ଏହି ଗୃହରେ ଓ ଇସ୍ରାଏଲର ସମୁଦାୟ ଗୋଷ୍ଠୀ ମଧ୍ୟରୁ ଆମ୍ଭର ମନୋନୀତ ଯିରୂଶାଲମରେ ଆମ୍ଭେ ଆପଣା ନାମ ଚିରକାଳ ସ୍ଥାପନ କରିବା।

8 ପୁଣି ଆମ୍ଭେ ସେମାନଙ୍କୁ ଯେଉଁ ସମସ୍ତ ଆଜ୍ଞା ଦେଇଅଛୁ ଓ ଆମ୍ଭ ସେବକ ମୋଶା ସେମାନଙ୍କୁ ଯେସମସ୍ତ ବ୍ୟବସ୍ଥା ଆଜ୍ଞା କରିଅଛି, କେବଳ ତଦନୁସାରେ ଆଚରଣ କରିବାକୁ ଯଦି ସେମାନେ ମନୋଯୋଗୀ ହେବେ, ତେବେ ଆମ୍ଭେ ସେମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦେଇଅଛୁ, ତହିଁରୁ ଇସ୍ରାଏଲର ପାଦକୁ ଆଉ ଭ୍ରମଣ କରାଇବା ନାହିଁ।”

9 ମାତ୍ର ସେମାନେ ଶୁଣିଲେ ନାହିଁ; ପୁଣି ସଦାପ୍ରଭୁ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରେ ଯେଉଁ ଦେଶୀୟମାନଙ୍କୁ ବିନାଶ କରିଥିଲେ, ସେମାନଙ୍କ ଅପେକ୍ଷା ଅଧିକ କୁକର୍ମ କରିବାକୁ ମନଃଶି ସେମାନଙ୍କୁ ଭୁଲାଇଲେ।

10 ଏଥିରେ ସଦାପ୍ରଭୁ ଆପଣା ସେବକ ଭବିଷ୍ୟଦ୍‍ବକ୍ତାଗଣ ଦ୍ୱାରା ଏହି କଥା କହିଲେ,

11 “ଯିହୁଦାର ରାଜା ମନଃଶି ଏହି ସକଳ ଘୃଣାଯୋଗ୍ୟ କର୍ମ କରିଅଛି ଓ ତାହାର ପୂର୍ବେ ଯେଉଁ ଇମୋରୀୟମାନେ ଥିଲେ, ସେମାନଙ୍କ ଅପେକ୍ଷା ଅଧିକ ଦୁଷ୍କର୍ମ କରିଅଛି ଓ ଯିହୁଦାକୁ ମଧ୍ୟ ଆପଣା ପ୍ରତିମାଗଣ ଦ୍ୱାରା ପାପ କରାଇଅଛି।”

12 ଏହେତୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, “ଦେଖ, ଆମ୍ଭେ ଯିରୂଶାଲମ ଓ ଯିହୁଦା ଉପରେ ଏପରି ଅମଙ୍ଗଳ ଆଣିବା ଯେ, କେହି ତାହା ଶୁଣିଲେ ତାହାର ଦୁଇ କର୍ଣ୍ଣ ଝାଁ ଝାଁ ହେବ।

13 ପୁଣି ଆମ୍ଭେ ଯିରୂଶାଲମ ଉପରେ ଶମରୀୟାର ରଜ୍ଜୁ ଓ ଆହାବ ବଂଶର ଓଳମ ଟାଣିବା ଓ ମନୁଷ୍ୟ ଯେପରି ଥାଳୀ ପୋଛେ, ଆଉ ପୋଛୁ ପୋଛୁ ତାହା ଓଲଟ ପାଲଟ କରେ, ସେପରି ଆମ୍ଭେ ଯିରୂଶାଲମକୁ ପୋଛି ପକାଇବା।

14 ଆଉ ଆମ୍ଭେ ଆପଣା ଅଧିକାରର ଅବଶିଷ୍ଟାଂଶକୁ ଦୂର କରିବା ଓ ସେମାନଙ୍କୁ ସେମାନଙ୍କ ଶତ୍ରୁଗଣ ହସ୍ତରେ ସମର୍ପଣ କରିବା। ତହିଁରେ ସେମାନେ ଆପଣା ଶତ୍ରୁ ସମସ୍ତଙ୍କର ମୃଗୟା ଓ ଲୁଟ ସ୍ୱରୂପ ହେବେ।

15 କାରଣ ସେମାନେ ଆମ୍ଭ ଦୃଷ୍ଟିରେ କୁକର୍ମ କରିଅଛନ୍ତି ଓ ସେମାନେ ଆପଣା ପିତୃଗଣ ମିସରରୁ ବାହାରି ଆସିବାର ଦିନଠାରୁ ଆଜି ପର୍ଯ୍ୟନ୍ତ ଆମ୍ଭକୁ ବିରକ୍ତ କରିଅଛନ୍ତି।”

16 ଆହୁରି ମନଃଶି ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କରି ଆପଣାର ସେହି ପାପ ଦ୍ୱାରା ଯିହୁଦାକୁ ପାପ କରାଇବା ଛଡ଼ା ସେ ବହୁତ ନିର୍ଦ୍ଦୋଷ ରକ୍ତପାତ କରି ଯିରୂଶାଲମକୁ ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ରକ୍ତରେ ପରିପୂର୍ଣ୍ଣ କଲେ।

17 ଏହି ମନଃଶିଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା ଓ ତାଙ୍କର ପାପ କ’ଣ ଯିହୁଦା ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ ?

18 ଏଥିଉତ୍ତାରେ ମନଃଶି ମୃତ୍ୟୁବରଣ କଲେ ଓ ଆପଣା ଗୃହର ଉଦ୍ୟାନରେ, ଅର୍ଥାତ୍‍, ଉଷର ଉଦ୍ୟାନରେ କବର ପ୍ରାପ୍ତ ହେଲେ। ତହୁଁ ତାଙ୍କର ପୁତ୍ର ଆମୋନ୍‍ ତାଙ୍କର ପଦରେ ରାଜ୍ୟ କଲେ।


ଯିହୁଦାର ରାଜା ଆମୋନ୍‍

19 ଆମୋନ୍‍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ବାଇଶ ବର୍ଷ ବୟସ୍କ ଥିଲେ ଓ ସେ ଯିରୂଶାଲମରେ ଦୁଇ ବର୍ଷ ରାଜ୍ୟ କଲେ ତାଙ୍କର ମାତାର ନାମ ମଶୁଲ୍ଲେମତ୍‍, ସେ ଯଟ୍‍ବା ନିବାସୀ ହାରୁଷଙ୍କର କନ୍ୟା ଥିଲେ।

20 ପୁଣି ଆମୋନ୍‍ ଆପଣା ପିତା ମନଃଶିଙ୍କ ତୁଲ୍ୟ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ।

21 ତାଙ୍କର ପିତା ଯେଉଁ ପଥରେ ଚାଲିଥିଲେ, ସେ ସେହି ସମସ୍ତ ପଥରେ ଚାଲିଲେ ଓ ତାଙ୍କର ପିତା ଯେଉଁ ଦେବତାମାନଙ୍କର ସେବା କରିଥିଲେ, ସେ ସେମାନଙ୍କର ସେବା କଲେ ଓ ସେମାନଙ୍କୁ ପୂଜା କଲେ।

22 ଆହୁରି ସେ ସଦାପ୍ରଭୁ ତାଙ୍କର ପିତୃଗଣର ପରମେଶ୍ୱରଙ୍କୁ ତ୍ୟାଗ କଲେ ଓ ସଦାପ୍ରଭୁଙ୍କ ପଥରେ ଚାଲିଲେ ନାହିଁ।

23 ଆମୋନ୍‍ଙ୍କର ଦାସମାନେ ତାଙ୍କର ବିରୁଦ୍ଧରେ ଚକ୍ରାନ୍ତ କଲେ ଓ ରାଜାଙ୍କୁ ତାଙ୍କର ନିଜ ଗୃହରେ ବଧ କଲେ।

24 ମାତ୍ର ଯେଉଁମାନେ ଆମୋନ୍‍ ରାଜା ବିରୁଦ୍ଧରେ ଚକ୍ରାନ୍ତ କରିଥିଲେ, ସେସମସ୍ତଙ୍କୁ ଦେଶର ଲୋକମାନେ ବଧ କଲେ, ଆଉ ଦେଶର ଲୋକମାନେ ତାଙ୍କର ପଦରେ ତାଙ୍କ ପୁତ୍ର ଯୋଶୀୟଙ୍କୁ ରାଜା କଲେ।

25 ଏହି ଆମୋନ୍‍ଙ୍କର କୃତ ଅବଶିଷ୍ଟ କ୍ରିୟାର ବୃତ୍ତାନ୍ତ କ’ଣ ଯିହୁଦା ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ ?

26 ପୁଣି ସେ ଉଷର ଉଦ୍ୟାନସ୍ଥିତ ଆପଣା କବରରେ କବର ପାଇଲେ, ଆଉ ତାଙ୍କର ପଦରେ ତାଙ୍କର ପୁତ୍ର ଯୋଶୀୟ ରାଜ୍ୟ କଲେ।

© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0

Bridge Connectivity Solutions Pvt. Ltd.
Následuj nás:



Reklamy