Online Bible

- Reklamy -

2 ବଂଶାବଳୀ 11 - ଓଡିଆ ବାଇବେଲ


ଶମୟୀୟଙ୍କ ଭାବବାଣୀ

1 ଏଉତ୍ତାରେ ରିହବୀୟାମ ଯିରୂଶାଲମରେ ଉପସ୍ଥିତ ହୁଅନ୍ତେ, ସେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରି ରିହବୀୟାମଙ୍କ ଅଧୀନକୁ ରାଜ୍ୟ ଫେରାଇ ଆଣିବା ନିମନ୍ତେ ଯିହୁଦା ଓ ବିନ୍ୟାମୀନ୍ ବଂଶର ଏକ ଲକ୍ଷ ଅଶୀ ହଜାର ବଚ୍ଛା ଯୋଦ୍ଧା ଲୋକଙ୍କୁ ଏକତ୍ର କଲେ।

2 ମାତ୍ର ପରମେଶ୍ୱରଙ୍କ ଲୋକ ଶମୟୀୟ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା।

3 ଯିହୁଦାର ରାଜା ଶଲୋମନଙ୍କ ପୁତ୍ର ରିହବୀୟାମଙ୍କୁ, ପୁଣି ଯିହୁଦା ଓ ବିନ୍ୟାମୀନ୍ ନିବାସୀ ସମସ୍ତ ଇସ୍ରାଏଲକୁ କୁହ,

4 “ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଯାତ୍ରା କରିବ ନାହିଁ, କିଅବା ଆପଣା ଭ୍ରାତୃଗଣ ବିପକ୍ଷରେ ଯୁଦ୍ଧ କରିବ ନାହିଁ; ପ୍ରତ୍ୟେକ ଲୋକ ଆପଣା ଆପଣା ଗୃହକୁ ଫେରିଯାଅ; କାରଣ ଏହି କାର୍ଯ୍ୟ ଆମ୍ଭ ଆଡ଼ୁ ହୋଇଅଛି,” ତେଣୁ ସେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣିଲେ ଓ ଯାରବୀୟାମ୍‍ ବିରୁଦ୍ଧରେ ଯାତ୍ରା କରିବାରୁ ଫେରିଲେ।

5 ଏଉତ୍ତାରେ ରିହବୀୟାମ ଯିରୂଶାଲମରେ ବାସ କରି ରକ୍ଷା ନିମିତ୍ତ ଯିହୁଦା ଦେଶରେ ନଗରମାନ ନିର୍ମାଣ କଲେ।

6 ସେ ବେଥଲିହିମ, ଐଟମ୍‍, ତକୋୟ,

7 ବେଥ୍-ସୁର, ସୋଖୋ, ଅଦୁଲ୍ଲମ,

8 ଗାଥ୍‍, ମାରେଶା, ସୀଫ୍,

9 ଅଦୋରୟୀମ୍‍, ଲାଖୀଶ୍‍, ଅସେକା,

10 ସରାୟ, ଅୟାଲୋନ୍‍, ହିବ୍ରୋଣ, ଯିହୁଦାର ଓ ବିନ୍ୟାମୀନ୍‍ର ମଧ୍ୟବର୍ତ୍ତୀ ଏହି ପ୍ରାଚୀରବେଷ୍ଟିତ ନଗରସବୁ ନିର୍ମାଣ କଲେ।

11 ଆଉ, ସେ ସକଳ ଦୁର୍ଗ ଦୃଢ଼ କରି ତହିଁ ମଧ୍ୟରେ ସେନାପତିମାନଙ୍କୁ ଓ ଖାଦ୍ୟ ଦ୍ରବ୍ୟ, ପୁଣି ତୈଳ ଓ ଦ୍ରାକ୍ଷାରସ ରଖିଲେ।

12 ଆଉ, ପ୍ରତ୍ୟେକ ନଗରରେ ସେ ଢାଲ ଓ ବର୍ଚ୍ଛା ରଖିଲେ, ପୁଣି ନଗରସବୁକୁ ଅତିଶୟ ଦୃଢ଼ କଲେ ଆଉ ଯିହୁଦା ଓ ବିନ୍ୟାମୀନ୍ ତାଙ୍କର ପକ୍ଷ ହେଲେ।


ଯିହୁଦାକୁ ଯାଜକ ଓ ଲେବୀୟମାନଙ୍କର ଆଗମନ

13 ଆହୁରି, ସମୁଦାୟ ଇସ୍ରାଏଲର ମଧ୍ୟବର୍ତ୍ତୀ ଯାଜକ ଓ ଲେବୀୟମାନେ ଆପଣା ଆପଣା ସମସ୍ତ ଅଞ୍ଚଳରୁ ଆସି ତାଙ୍କ ନିକଟରେ ଉପସ୍ଥିତ ହେଲେ।

14 କାରଣ ଲେବୀୟମାନେ ଆପଣା ଆପଣା (ନଗରର) ତଳିଭୂମି ଓ ଆପଣା ଆପଣା ଅଧିକାର ତ୍ୟାଗ କରି ଯିହୁଦା ଓ ଯିରୂଶାଲମକୁ ଆସିଲେ; ଯେହେତୁ ଯାରବୀୟାମ୍‍ ଓ ତାଙ୍କର ପୁତ୍ରଗଣ ସେମାନଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯାଜକର କାର୍ଯ୍ୟ କରିବାକୁ ନ ଦେଇ ତଡ଼ି ଦେଇଥିଲେ।

15 ପୁଣି, ସେ ଉଚ୍ଚସ୍ଥଳୀସକଳର ଓ ଛାଗ ଦେବତାମାନଙ୍କର ଓ ସ୍ୱର୍ଣ୍ଣନିର୍ମିତ ଗୋବତ୍ସସକଳର ନିମନ୍ତେ ଆପଣାର ଯାଜକ ନିଯୁକ୍ତ କଲେ।

16 ଇସ୍ରାଏଲର ସମୁଦାୟ ବଂଶ ମଧ୍ୟରୁ ଯେଉଁମାନେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଅନ୍ୱେଷଣ କରିବା ପାଇଁ ଆପଣା ଆପଣା ମନ ନିବିଷ୍ଟ କଲେ, ସେମାନେ ଆପଣାମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ପାଇଁ ଲେବୀୟମାନଙ୍କ ପଶ୍ଚାତ୍‍ ଯିରୂଶାଲମକୁ ଆସିଲେ।

17 ଏହିରୂପେ ସେମାନେ ଯିହୁଦାର ରାଜ୍ୟ ଦୃଢ଼ କଲେ, ପୁଣି ଶଲୋମନଙ୍କର ପୁତ୍ର ରିହବୀୟାମଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ବଳବାନ କଲେ; କାରଣ ସେମାନେ ତିନି ବର୍ଷ ପର୍ଯ୍ୟନ୍ତ ଦାଉଦଙ୍କର ଓ ଶଲୋମନଙ୍କର ପଥରେ ଚାଲିଲେ।


ରିହବୀୟାମଙ୍କ ପରିବାର

18 ପୁଣି, ରିହବୀୟାମ ମହଲତ୍‍ ନାମ୍ନୀ ଏକ ଭାର୍ଯ୍ୟା ଗ୍ରହଣ କଲେ, ସେ ଦାଉଦଙ୍କର ପୁତ୍ର ଯିରେମୋତ୍‍ର ଓ ଯିଶୀର ପୁତ୍ର ଇଲୀୟାବ୍‍ର କନ୍ୟା ଅବୀହୟିଲର କନ୍ୟା ଥିଲା;

19 ସେ ତାଙ୍କ ଔରସରେ ଯିୟୂଶ୍‍ ଓ ଶେମରୀୟ ଓ ସହମ ନାମକ ପୁତ୍ରମାନଙ୍କୁ ଜାତ କଲା

20 ଏଥିଉତ୍ତାରେ ରିହବୀୟାମ ଅବଶାଲୋମର କନ୍ୟା ମାଖାକୁ ବିବାହ କଲେ; ସେ ସ୍ତ୍ରୀ ତାଙ୍କ ଔରସରେ ଅବୀୟ ଓ ଅତ୍ତୟ ଓ ସୀଷ ଓ ଶଲୋମୀତ୍‍କୁ ଜାତ କଲା।

21 ରିହବୀୟାମ ଆପଣାର ସବୁ ପତ୍ନୀ ଓ ଉପପତ୍ନୀ ଅପେକ୍ଷା ଅବଶାଲୋମର କନ୍ୟା ମାଖାକୁ ଅଧିକ ପ୍ରେମ କଲେ; ସେ ଅଠର ପତ୍ନୀ ଓ ଷାଠିଏ ଉପପତ୍ନୀ ଗ୍ରହଣ କଲେ ଓ ଅଠାଇଶ ପୁତ୍ର ଓ ଷାଠିଏ କନ୍ୟା ଜାତ କଲେ।

22 ପୁଣି ରିହବୀୟାମ ମାଖାର ପୁତ୍ର ଅବୀୟକୁ ପ୍ରଧାନ ଓ ତାହାର ଭ୍ରାତୃଗଣ ମଧ୍ୟରେ ଅଧିପତି କଲେ; କାରଣ ତାହାକୁ ରାଜା କରିବା ପାଇଁ ତାଙ୍କର ମନ ଥିଲା।

23 ଆଉ, ସେ ବୁଦ୍ଧିର କାର୍ଯ୍ୟ କରି ଆପଣାର ପୁତ୍ରମାନଙ୍କୁ ଯିହୁଦା ଓ ବିନ୍ୟାମୀନ୍ ଦେଶର ସର୍ବତ୍ର ପ୍ରତ୍ୟେକ ପ୍ରାଚୀର ବେଷ୍ଟିତ ନଗରରେ ଛିନ୍ନଭିନ୍ନ କରି ରଖିଲେ; ଆଉ ସେ ସେମାନଙ୍କୁ ପ୍ରଚୁର ଖାଦ୍ୟ ଦ୍ରବ୍ୟ ଦେଲେ ପୁଣି ସେମାନଙ୍କ ନିମନ୍ତେ ଅନେକ ଭାର୍ଯ୍ୟା ଖୋଜିଲେ।

© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0

Bridge Connectivity Solutions Pvt. Ltd.
Následuj nás:



Reklamy