Online Bible

- Reklamy -

ଗୀତସଂହିତା 140 - ପବିତ୍ର ବାଇବଲ


ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।

1 ହେ ସଦାପ୍ରଭୁ, ଦୁଷ୍ଟ ଲୋକମାନଙ୍କଠାରୁ ମୋତେ ଉଦ୍ଧାର କର। ଦୌରାତ୍ମ୍ୟକାରୀ ଲୋକମାନଙ୍କଠାରୁ ମୋତେ ରକ୍ଷା କର।

2 ଯେଉଁ ଦୁର୍ଜ୍ଜନମାନେ, ଦୁଷ୍ଟ ଯୋଜନା କରନ୍ତି। ସେମାନେ ପ୍ରତ୍ୟେକ ଦିନ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୁଅନ୍ତି।

3 ସେମାନଙ୍କର ଜିହ୍ୱା ବିଷଧର ସର୍ପପରି, ଯେପରି ସେମାନଙ୍କର ଜିହ୍ୱାତଳେ ନାଗର ଗରଳ ରହିଛି। ସେଲା

4 ହେ ସଦାପ୍ରଭୁ, ଦୁଷ୍ଟ ଲୋକମାନଙ୍କଠାରୁ ମୋତେ ରକ୍ଷା କର। ଦୌରାତ୍ମ୍ୟକାରୀମାନଙ୍କଠାରୁ ମୋତେ ସୁରକ୍ଷା ଦିଅ। ଯେଉଁମାନେ ମୋ’ ପଛରେ ପଡ଼ିଛନ୍ତି ଏବଂ ଦୁଃଖ ଦେବା ପାଇଁ ଯୋଜନା କରୁଛନ୍ତି।

5 ସେହି ଗର୍ବୀ ଲୋକମାନେ ମୋ’ ପାଇଁ ଫାନ୍ଦ ବିଛାଇଛନ୍ତି। ସେମାନେ ମୋତେ ଧରିବା ପାଇଁ ଜାଲ ବିଛାଇଛନ୍ତି। ସେମାନେ ମୋ’ ପଥରେ ଯନ୍ତା ବିଛାଇଛନ୍ତି। ସେଲା

6 ମୁଁ ସଦାପ୍ରଭୁଙ୍କୁ କହିଲି, ତୁମ୍ଭେ ମୋର ପରମେଶ୍ୱର। ହେ ସଦାପ୍ରଭୁ, ମୋର ପ୍ରାର୍ଥନାକୁ ଗ୍ରହଣ କର।

7 ହେ ସଦାପ୍ରଭୁ, ମୋର ପ୍ରଭୁ, ତୁମ୍ଭେ ହେଉଛ ଶକ୍ତିଶାଳୀ, ଯିଏକି ମୋତେ ରକ୍ଷା କରେ। ତୁମ୍ଭେ ମୋର ମସ୍ତକର ରକ୍ଷାକବଚ, ଯାହା ମୋର ଯୁଦ୍ଧ ସମୟରେ ମସ୍ତକ ଆଚ୍ଛାଦନ କରି ସୁରକ୍ଷା ଦିଅ।

8 ହେ ସଦାପ୍ରଭୁ, ସେହି ଲୋକମାନେ ଦୁଷ୍ଟ ପ୍ରକୃତିର। ସେମାନଙ୍କର ଇଚ୍ଛା ପୂର୍ଣ୍ଣ ହେବାକୁ ଦିଅ ନାହିଁ। ସେମାନଙ୍କର ଯୋଜନାକୁ ସଫଳ ହେବାକୁ ଦିଅ ନାହିଁ। ସେଲା

9 ହେ ସଦାପ୍ରଭୁ, ମୋର ଶତ୍ରୁମାନଙ୍କୁ ବିଜୟ କରାଅ ନାହିଁ। ସେହି ଦୁଷ୍ଟ ଲୋକମାନଙ୍କର ଯୋଜନା ମନ୍ଦ ଅଟେ। ସେମାନଙ୍କ ମନ୍ଦ ଯୋଜନା ତୁମ୍ଭେ ସେହିଠାରେ ଶେଷ କର।

10 ସେମାନଙ୍କ ମୁଣ୍ଡରେ ଜ୍ୱଳନ୍ତା କୋଇଲା ପଡ଼ୁ। ମୋର ଶତ୍ରୁମାନଙ୍କୁ ଅଗ୍ନିରେ ନିକ୍ଷେପ କର। ସେମାନେ ଯେପରି ଉଠିପାରିବେ ନାହିଁ ଏଥିପାଇଁ ତାଙ୍କୁ ଗଭୀର ଗର୍ଭରେ ନିକ୍ଷେପ କର।

11 ସଦାପ୍ରଭୁ, ସେହି ମିଥ୍ୟାବାଦୀ ଲୋକମାନଙ୍କୁ ସୁଖ ସମୃଦ୍ଧି ଦିଅ ନାହିଁ। ସେମାନଙ୍କୁ ଆକସ୍ମିକ ବିପତ୍ତି ଶିକାର କରିନେଉ।

12 ମୁଁ ଜାଣେ ଯେ, ସଦାପ୍ରଭୁ ଗରିବ ଲୋକମାନଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରିବେ ଏବଂ ସେ ନିଃସହାୟ ଲୋକମାନଙ୍କୁ ଆକ୍ରମଣରୁ ରକ୍ଷା କରିବେ।

13 ହେ ସଦାପ୍ରଭୁ, ଧାର୍ମିକ ଲୋକମାନେ ତୁମ୍ଭ ନାମର ପ୍ରଶଂସା କରିବେ। ଧାର୍ମିକ ଲୋକମାନେ ତୁମ୍ଭର ଉପସ୍ଥିତିରେ ବଞ୍ଚିବେ।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Následuj nás:



Reklamy