Online Bible

- Reklamy -

ଆଦି ପୁସ୍ତକ 9 - ପବିତ୍ର ବାଇବଲ


ନୂତନର ଆରମ୍ଭ

1 ପରମେଶ୍ୱର ନୋହ ଏବଂ ତାଙ୍କର ପୁତ୍ରମାନଙ୍କୁ ଆଶୀର୍ବାଦ କଲେ। ପରମେଶ୍ୱର ସେମାନଙ୍କୁ କହିଲେ, “ବହୁ ସନ୍ତାନ ଜନ୍ମ କର, ଲୋକ ଦ୍ୱାରା ପୃଥିବୀକୁ ପୂର୍ଣ୍ଣ କର।

2 ପୃଥିବୀରେ ସମସ୍ତ ପଶୁ, ଆକାଶର ସମସ୍ତ ପକ୍ଷୀ ଭୂଚର ସମସ୍ତ ପ୍ରାଣୀ, ଏବଂ ସମୁଦ୍ର ମଧ୍ୟରେ ଥିବା ସମସ୍ତ ମତ୍ସ୍ୟ ତୁମ୍ଭମାନଙ୍କୁ ଭୟ କରିବେ। ସମସ୍ତ ଜୀବ ତୁମ୍ଭ ନିୟନ୍ତ୍ରଣରେ ରହିବେ।

3 ମୁଁ ତୁମ୍ଭକୁ ସବୁଜ ବୃକ୍ଷ ପରି ଦେଇଥିଲି। ବର୍ତ୍ତମାନ ପ୍ରତ୍ୟେକ ପଶୁ ତୁମ୍ଭର ଖାଦ୍ୟ ହେବ। ମୁଁ ଯାହାସବୁ ପୃଥିବୀରେ ଦେଇଛି ତାହା ସବୁ ତୁମ୍ଭର।

4 କିନ୍ତୁ, ମୁଁ ତୁମ୍ଭମାନଙ୍କୁ ଏକ ନିର୍ଦ୍ଦେଶ ଦେବି। ତୁମ୍ଭେ କୌଣସି ପ୍ରାଣୀର ସରକ୍ତ ମାଂସ ଖାଇବ ନାହିଁ। କାରଣ ରକ୍ତରେ ଜୀବନ ଅଛି।

5 ମୁଁ ରକ୍ତ ପାତ ଦ୍ୱାରା ଦଣ୍ଡିତ କରିବି, ତାହା ପ୍ରାଣୀ ଦ୍ୱାରା ହେଉ ବା ଲୋକମାନଙ୍କ ଦ୍ୱାରା। ଯଦି ଲୋକମାନେ ପରସ୍ପରକୁ ହତ୍ୟା କରନ୍ତି, ମୁଁ ରକ୍ତପାତ ଦ୍ୱାରା ଦଣ୍ଡିତ କରିବି।

6 “ପରମେଶ୍ୱର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ତିଆରି କରିଛନ୍ତି। ତେଣୁ ଯେକେହି ମନୁଷ୍ୟକୁ ହତ୍ୟା କରିବ, ସେ ନିଶ୍ଚିତ ଅନ୍ୟ ମନୁଷ୍ୟ ଦ୍ୱାରା ମରାଯିବ।

7 “ନୋହ, ତୁମ୍ଭର ଓ ତୁମ୍ଭ ପିଲାମାନଙ୍କର ନିଶ୍ଚୟ ବହୁତ ପିଲାପିଲି ହେବ। ତୁମ୍ଭେମାନେ ପୃଥିବୀକୁ ମନୁଷ୍ୟରେ ପରିପୂର୍ଣ୍ଣ କରିବ।”

8 ଏହା ପରେ ପରମେଶ୍ୱର ନୋହ ଏବଂ ତାଙ୍କର ପୁତ୍ରମାନଙ୍କୁ କହିଲେ,

9 “ମୁଁ ବର୍ତ୍ତମାନ ତୁମ୍ଭ ପାଇଁ ଏବଂ ତୁମ୍ଭ ପରେ ରହୁଥିବା ଲୋକମାନଙ୍କ ପାଇଁ ପ୍ରତିଜ୍ଞା କରୁଛି।

10 ଆମ୍ଭେ ଆମ୍ଭର ପ୍ରତିଜ୍ଞା କରିବା ସମସ୍ତ ପକ୍ଷୀ, ସମଗ୍ର ଗୃହପାଳିତ ପଶୁ, ଏବଂ ସମସ୍ତ ପଶୁମାନେ ଯେଉଁସବୁ ତୁମ୍ଭ ସହିତ ଜାହାଜରୁ ବାହାରି ଥିଲେ। ଆମ୍ଭେ ଆମ୍ଭର ପ୍ରତିଜ୍ଞା ସମସ୍ତ ପୃଥିବୀସ୍ଥ ଜୀବନ୍ତ ପ୍ରାଣୀଙ୍କ ପାଇଁ କରିବା।

11 ଏହା ଆମ୍ଭର ତୁମ୍ଭମାନଙ୍କ ପାଇଁ ପ୍ରତିଜ୍ଞା ସମସ୍ତ ଜୀବନ ପୃଥିବୀ ଉପରିସ୍ଥ ବନ୍ୟାରେ ଧ୍ୱଂସ ପାଇଥିଲା। କିନ୍ତୁ ଏପରି ପ୍ରଳୟ ଆଉ ପୁନରାୟ ହେବ ନାହିଁ। ଏହରି ବନ୍ୟା ଦ୍ୱାରା ଆଉ କଦାପି ପୃଥିବୀରୁ ଜୀବନ ସତ୍ତା ବିନାଶ ହେବ ନାହିଁ।”

12 ଏବଂ ପରମେଶ୍ୱର କହିଲେ, “ମୁଁ ତୁମ୍ଭମାନଙ୍କୁ କିଛି ପ୍ରମାଣ ଦେବି ଯେ ମୁଁ ତୁମ୍ଭମାନଙ୍କ ସହିତ ପ୍ରତିଜ୍ଞା କରିଅଛି। ଏହି ଚିହ୍ନ ତୁମ୍ଭକୁ ଦେଖାଇବ ଯେ ମୁଁ ତୁମ୍ଭମାନଙ୍କ ସହିତ ଏବଂ ପ୍ରତ୍ୟେକ ଜୀବନ୍ତ ପ୍ରାଣୀମାନଙ୍କ ସହିତ ନିୟମ କରିଅଛି। ଏହି ନିୟମ ସବୁଦିନ ପାଇଁ ସ୍ଥାୟୀ ହେବ। ଏହା ହିଁ ତୋରଣ ପ୍ରମାଣ।

13 ମୁଁ ମୋହର ମେଘଧନୁ ମେଘରେ ସ୍ଥାପନ କରିଅଛି। ତାହା ପୃଥିବୀ ସହିତ ମୋର ଚୁକ୍ତିର ଚିହ୍ନ ହେବ।

14 ଯେତେବେଳେ ମୁଁ ପୃଥିବୀ ଉପରେ ମେଘ ସଞ୍ଚାର କରିବି, ସେତେବେଳେ ସେହି ମେଘଧନୁ ମେଘରେ ଦେଖାଯିବ।

15 ମୁଁ ଯେତେବେଳେ ମେଘଧନୁକୁ ଦେଖେ ସେତେବେଳେ ମୁଁ ତୁମ୍ଭ ସହିତ ଓ ଅନ୍ୟାନ୍ୟ ସଜୀବ ପ୍ରାଣୀମାନଙ୍କ ସହିତ ହୋଇଥିବା ଚୁକ୍ତିକୁ ମନେ ପକାଇବି। ସେହି ଚୁକ୍ତି କହେ ଯେ, ଭବିଷ୍ୟତରେ ଏପରି ବନ୍ୟାରେ ସମସ୍ତେ ବିନାଶ ହେବେ ନାହିଁ।

16 ପୁଣି ମେଘଧନୁ ହେଲେ, ଆମ୍ଭେ ତାହା ପ୍ରତି ଦୃଷ୍ଟିପାତ କରିବା। ତହିଁରେ ପୃଥିବୀସ୍ଥ ସମସ୍ତ ସଜୀବ ପ୍ରାଣୀ ସହିତ ପରମେଶ୍ୱରଙ୍କର ଯେଉଁ ଅନନ୍ତକାଳସ୍ଥାୟୀ ନିୟମ ଅଛି, ତାହା ମୁଁ ସ୍ମରଣ କରିବି।”

17 ତେଣୁ ସଦାପ୍ରଭୁ ନୋହଙ୍କୁ କହିଲେ, “ପୃଥିବୀସ୍ଥ ମାଂସ ବିଶିଷ୍ଟ ସମସ୍ତ ପ୍ରାଣୀ ସହିତ ଆମ୍ଭେ ଯେଉଁ ଚୁକ୍ତି ସ୍ଥିର କରିଅଛୁ, ତହିଁରେ ମେଘଧନୁ ଏହି ଚିହ୍ନ ହେବ।”


ପୁଣି ସମସ୍ୟାମାନ ଦେଖାଗଲା

18 ନୋହଙ୍କର ପୁତ୍ରମାନେ ତାଙ୍କୁ ଧରି ଜାହାଜରୁ ବାହାରିଲେ। ସେମାନଙ୍କର ନାମ ଶେମ, ହାମ ଓ ଯେଫତ୍ (ହାମ ଥିଲେ କିଣାନର ପିତା)

19 ସେହି ତିନି ଜଣ ଯାକ ନୋହଙ୍କର ପୁତ୍ର ଥିଲେ। ଏବଂ ପୃଥିବୀର ସମସ୍ତ ଲୋକ ଏହି ତିନି ଜଣଙ୍କଠାରୁ ଜନ୍ମ ନେଲେ।

20 ନୋହ କୃଷକ ହେଲେ। ସେ କ୍ଷେତ୍ରରେ ଦ୍ରାକ୍ଷା ବୃକ୍ଷ ରୋପଣ କଲେ।

21 ନୋହ ତହିଁରୁ ଦ୍ରାକ୍ଷାରସ ପ୍ରସ୍ତୁତି କରି ପାନ କଲେ। ସେ ଦ୍ରାକ୍ଷାରସ ପାନ କରି ମତ୍ତ ହୋଇ ତାଙ୍କର ଲୁଗାପଟା ଖୋଲିଦେଇ ତାଙ୍କର ତମ୍ବୁରେ ପଡ଼ି ରହିଲେ। ସେ କୌଣସି ବସ୍ତ୍ର ପରିଧାନ କରି ନ ଥିଲେ।

22 କିଣାନର ପିତା ହାମ ଆପଣା ପିତାଙ୍କର ଉଲଗ୍ନତା ଦେଖି ବାହାରେ ଆପଣା ଦୁଇ ଭାଇଙ୍କୁ ସମାଗ୍ଭର ଦେଲେ।

23 ସେତେବେଳେ ଶେମ ଓ ଯେଫତ୍ କାନ୍ଧରେ ବସ୍ତ୍ର ଘେନି ପଶ୍ଚାତ୍ ଗତି କରି ଆପଣାମାନଙ୍କର ପିତାଙ୍କର ଉଲଗ୍ନତା ଆଚ୍ଛାଦନ କଲେ। ସେମାନେ ପଛ କରି ଯାଇଥିବାରୁ ପିତାଙ୍କର ଉଲଗ୍ନତା ଦିଖି ପାରିଲେ ନାହିଁ।

24 ଏହା ପରେ ନୋହ ଉଠିଲେ (ସେ ମଦ୍ୟ ପାନକରି ଶୋଇଥିଲେ)। ସେ ଜାଣିଲେ ଯେ ତାଙ୍କର ସାନପୁଅ ତାଙ୍କ ପାଇଁ କ’ଣ କରିଛନ୍ତି।

25 ତେଣୁ ନୋହ କହିଲେ, “କିଣାନ ଶାପଗ୍ରସ୍ତ ହେଉ! ସେ ଆପଣା ଭାତୃଗଣର ଦାସାନୁଦାସ ହେବ।”

26 ନୋହ ମଧ୍ୟ ଏପରି କହିଲେ, “ଶେମ ଆଶୀର୍ବାଦ ପ୍ରାପ୍ତ ସଦାପ୍ରଭୁ ପରମେଶ୍ୱରଙ୍କ ଦ୍ୱାରା କିଣାନ ଶେମର ଦାସ ହେଉ।

27 ପରମେଶ୍ୱର ଯେଫ‌‌‌ତ୍‌‌‌କୁ ବହୁତ ଜମି ଦିଅନ୍ତୁ। ସେ ଶେମର ତମ୍ବୁରେ ବାସ କରୁ। କିଣାନ ତାହାର ଦାସ ହେଉ।”

28 ବନ୍ୟା ପରେ ନୋହ ତିନିଶହ ପଗ୍ଭଶ୍ ବର୍ଷ ବଞ୍ଚିଲେ।

29 ଏହିପରି ନୋହ ମୋଟରେ 950 ବର୍ଷ ବଞ୍ଚିଲେ। ଏହା ପରେ ମୃତ୍ୟୁବରଣ କଲେ।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Následuj nás:



Reklamy