Online Bible

- Reklamy -

2 ବଂଶାବଳୀ 34 - ପବିତ୍ର ବାଇବଲ


ଯିହୁଦାର ରାଜା ଯୋଶିୟ

1 ଯୋଶିୟ ରାଜା ହେବା ସମୟରେ ଆଠ ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ଏକତିରିଶ୍ ବର୍ଷ ପର୍ଯ୍ୟନ୍ତ ରାଜା ହୋଇଥିଲେ।

2 ଯୋଶିୟ ଯଥାର୍ଥ କର୍ମ କଲେ। ସେ ସଦାପ୍ରଭୁଙ୍କ ଇଚ୍ଛାନୁଯାୟୀ କାର୍ଯ୍ୟ କଲେ। ସେ ତାଙ୍କର ପୂର୍ବପୁରୁଷ ଦାଉଦଙ୍କ ପରି ଉତ୍ତମ କାର୍ଯ୍ୟମାନ କଲେ। ଯୋଶିୟ ଉତ୍ତମକର୍ମ କରିବାରୁ କ୍ଷାନ୍ତ ହେଲେ ନାହିଁ।

3 ଯୋଶିୟ ପରମେଶ୍ୱରଙ୍କର ଇଚ୍ଛା ଅନୁସରଣ କରିବାକୁ ଲାଗିଲେ, ଯାହାଙ୍କୁ ତାଙ୍କର ପୂର୍ବପୁରୁଷ ଦାଉଦ ତାଙ୍କ ରାଜତ୍ୱର ଅଷ୍ଟମ ବର୍ଷରେ ଅନୁସରଣ କରିଥିଲେ। ଯୋଶିୟ ପରମେଶ୍ୱରଙ୍କୁ ଅନୁସରଣ କରିବାକୁ ଆରମ୍ଭ କରିବା ସମୟରେ ସେ ଅଳ୍ପ ବୟସ୍କ ଥିଲେ। ଯୋଶିୟଙ୍କ ରାଜତ୍ୱର ଦ୍ୱାଦଶ ବର୍ଷରେ ସେ ଯିହୁଦା ଓ ଯିରୁଶାଲମରେ ଥିବା ଉଚ୍ଚସ୍ଥାନ, ଆଶେରା ସ୍ତମ୍ଭ, ଖୋଦିତ ପ୍ରତିମା ଓ ଢାଞ୍ଚାରେ ଢଳା ମୂର୍ତ୍ତିସବୁକୁ ବିନଷ୍ଟ କଲେ।

4 ଲୋକମାନେ ‌ବା‌ଲ୍‌ଦେବତାର ଯଜ୍ଞବେଦିସବୁ ଭାଙ୍ଗି ପକାଇଲେ। ସେମାନେ ଯୋଶିୟଙ୍କ ଉପସ୍ଥିତିରେ ଏହା କଲେ। ଏହା ପରେ ଯୋଶିୟ ଲୋକମାନଙ୍କ ସମ୍ମୁଖରେ ଦଣ୍ଡାୟମାନ ଉଚ୍ଚ ସୁଗନ୍ଧିଧୂପର ଯଜ୍ଞବେଦି ଭାଙ୍ଗି ପକାଇଲେ। ସେ ଖୋଦିତ ମୂର୍ତ୍ତିସବୁ ଓ ଛାଞ୍ଚରେ ଢଳା ମୂର୍ତ୍ତିସବୁ ଭାଙ୍ଗି ପକାଇଲେ। ସେ ସେହି ମୂର୍ତ୍ତିଗୁଡ଼ିକୁ ଭାଙ୍ଗି ଧୂଳିରେ ପରିଣତ କରିଦେଲେ। ଏହା ପରେ ଯେଉଁ ଲୋକମାନେ ମୂର୍ତ୍ତିଗୁଡ଼ିକ ସମ୍ମୁଖରେ ବଳି ଉତ୍ସର୍ଗ କରିଥିଲେ, ଯୋଶିୟ ସେମାନଙ୍କ କବର ଉପରେ ସେହି ଗୁଣ୍ଡକୁ ସିଞ୍ଚିଲେ।

5 ଯୋଶିୟ ଯାଜକମାନଙ୍କ ନିଜ ଯଜ୍ଞବେଦି ଉପରେ ସେମାନଙ୍କର ହାଡ଼କୁ ମଧ୍ୟ ଜ୍ୱଳାଇଲେ। ଏହି ପ୍ରକାରେ ଯୋଶିୟ ଯିହୁଦା ଓ ଯିରୁଶାଲମକୁ ପବିତ୍ର କଲେ।

6 ଯୋଶିୟ, ମନଃଶି, ଇଫ୍ରୟିମ୍, ଶିମିୟୋନ ଓ ନପ୍ତାଲି ପର୍ଯ୍ୟନ୍ତ ଅଞ୍ଚଳର ସମସ୍ତ ସହରରେ ଏହିପରି କଲେ। ସେ ସେହି ସହରଗୁଡ଼ିକର ନିକଟରେ ଥିବା ଭଗ୍ନାବଶେଷ ପ୍ରତି ମଧ୍ୟ ସେହିରୂପ କଲେ।

7 ଯୋଶିୟ ଯଜ୍ଞବେଦି ଓ ଆଶେରା ସ୍ତମ୍ଭସବୁ ଭାଙ୍ଗି ପକାଇଲେ। ସେ ମୂର୍ତ୍ତିଗୁଡ଼ିକୁ ଭାଙ୍ଗି ଧୂଳିରେ ପରିଣତ କରିଦେଲେ। ସେ ଇସ୍ରାଏଲର ସାରା ଦେଶରେ ସମସ୍ତ ସୁଗନ୍ଧବେଦି ଭାଙ୍ଗି ପକାଇଲେ। ଏହା ପରେ ଯୋଶିୟ ଯିରୁଶାଲମକୁ ଫେରିଗଲେ।

8 ତାଙ୍କର ରାଜତ୍ୱର ଅଷ୍ଟାଦଶ ବର୍ଷରେ ସେ ସବୁ ସ୍ଥାନ ଓ ମନ୍ଦିର ପବିତ୍ର କଲାପରେ, ଯୋଶିୟ, ଶାଫନ୍, ମାସେୟ ଏବଂ ଯୋୟାହଙ୍କୁ ସଦାପ୍ରଭୁ ପରମେଶ୍ୱରଙ୍କର ମନ୍ଦିର ମରାମତି ପାଇଁ ପଠାଇଲେ। ଶାଫା‌ନଙ୍କ ପିତାଙ୍କର ନାମ ଥିଲା ଅତ୍‌ସଲିୟ। ମାସେୟ ନଗରର ନେତା ଥିଲେ ଓ ଯୋୟାହଙ୍କ ପିତାଙ୍କର ନାମ ଥିଲା ଯୋୟାହସ। ଯୋୟାହ ବିତରଣ ରକ୍ଷକ ଥିଲେ।

9 ସେହି ଲୋକମାନେ ପ୍ରଧାନ ଯାଜକ ହି‌ଲ୍‌‌‌କିୟଙ୍କ ନିକଟକୁ ଆସିଲେ ଓ ଲୋକମାନେ ମନ୍ଦିର ନିମନ୍ତେ ଦେଇଥିବା ଟଙ୍କା ତାଙ୍କୁ ଦେଲେ। ଲେବୀୟ ଦ୍ୱାରପାଳଗଣ ମନଃଶି, ଇଫ୍ରୟିମ ଓ ଇସ୍ରାଏଲର ଅବଶିଷ୍ଟ ଲୋକମାନଙ୍କଠାରୁ ଟଙ୍କା ସଂଗ୍ରହ କରିଥିଲେ। ସେମାନେ ଯିହୁଦା, ବିନ୍ୟାମୀନ ଓ ଯିରୁଶାଲମରେ ବାସ କରୁଥିବା ସମସ୍ତ ଲୋକଙ୍କଠାରୁ ମଧ୍ୟ ଏହି ଟଙ୍କା ସଂଗ୍ରହ କରିଥିଲେ।

10 ଏହା ପରେ ଲେବୀୟମାନେ ସଦାପ୍ରଭୁଙ୍କ ମନ୍ଦିରର ତଦାରଖ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ମଜୁରୀ ଦେଲେ। ଆଉ ତଦାରଖକାରୀମାନେ ସଦାପ୍ରଭୁଙ୍କ ମନ୍ଦିର ମରାମତି କରୁଥିବା ଶ୍ରମିକମାନଙ୍କୁ ମଜୁରୀ ଦେଲେ।

11 କଟା ହୋଇଥିବା ବିରାଟକାୟ ପ୍ରସ୍ତର ଓ କାଠ କଣିକା ନିମନ୍ତେ ସେମାନେ ବଢ଼େଇ ଓ ଗୃହ ନିର୍ମାଣକାରୀମାନଙ୍କୁ ଟଙ୍କା ଦେଲେ। ଗୃହର ପୁନଃନିର୍ମାଣ ଓ ଗୃହର କଡ଼ି ନିର୍ମାଣ କରିବା ନିମନ୍ତେ ଏହି କାଠ ବ୍ୟବହୃତ ହେଲା। ଅତୀତରେ ଯିହୁଦାର ରାଜାମାନେ ମନ୍ଦିରର ଅଟ୍ଟାଳିକାଗୁଡ଼ିକର ଯତ୍ନ ନେଇ ନ ଥିଲେ। ସେହି ଅଟ୍ଟାଳିକାଗୁଡ଼ିକ ପୁରାତନ ଓ ଭଗ୍ନପ୍ରାୟ ହୋଇଯାଇ ଥିଲା।

12-13 ଲୋକମାନେ ଅତି ବିଶ୍ୱସ୍ତଭାବରେ କାର୍ଯ୍ୟ କରୁଥିଲେ। ସେମାନଙ୍କର ତଦାରଖକାରୀମାନେ ଥିଲେ ଯହତ୍ ଓ ଓବଦିୟ। ଯହତ୍ ଓ ଓବଦିୟ ଲେବୀୟ ଓ ମରାରିଙ୍କ ବଂଶଧର ଥିଲେ। ଅନ୍ୟ ତଦାରଖକାରୀମାନେ ଥିଲେ ଜିଖରିୟ ଓ ମଶୁଲ୍ଲମ୍। ସେମାନେ କହାତ୍ ବଂଶର ଥିଲେ। ଯେଉଁ ଲେବୀୟମାନେ ବାଦ୍ୟଯନ୍ତ୍ର ସବୁ ବଜାଇବାରେ ନିପୁଣ ଥିଲେ, ସେହିମାନେ ମଧ୍ୟ ଶ୍ରମିକ ଓ ଅନ୍ୟ କାର୍ଯ୍ୟକାରୀମାନଙ୍କର କାର୍ଯ୍ୟ ତଦାରଖ କଲେ। କିଛି ଲେବୀୟ ସଚିବ ଓ କାର୍ଯ୍ୟାଧିକାରୀ ଦ୍ୱାରପାଳରୂପେ କାର୍ଯ୍ୟ କଲେ।


ବ୍ୟବସ୍ଥା ନିୟମର ପୁସ୍ତକ ମିଳିଲା

14 ଲେବୀୟମାନେ ସଦାପ୍ରଭୁଙ୍କ ମନ୍ଦିରରେ ଥିବା ଟଙ୍କାକୁ ବାହାର କରୁଥିଲେ। ଆଉ ସେହି ସମୟରେ ହି‌ଲ୍‌‌‌କିୟ ଯାଜକ ମୋଶାଙ୍କ ଦ୍ୱାରା ପ୍ରଦତ୍ତ ସଦାପ୍ରଭୁଙ୍କ ବ୍ୟବସ୍ଥା ନିୟମ ପୁସ୍ତକଟି ପାଇଲେ।

15 ହି‌ଲ୍‌‌‌କିୟ ସଚିବ ଶାଫ‌ନଙ୍କୁ କହିଲେ, “ମୁଁ ସଦାପ୍ରଭୁଙ୍କ ଗୃହରେ ବ୍ୟବସ୍ଥା ନିୟମ ପୁସ୍ତକଟି ପାଇଅଛି!” ହି‌ଲ୍‌‌‌କିୟ ଶାଫ‌ନଙ୍କୁ ସେହି ପୁସ୍ତକଟି ଦେଲେ।

16 ଶାଫନ୍ ସେହି ପୁସ୍ତକକୁ ରାଜା ଯୋଶିୟଙ୍କ ନିକଟକୁ ଆଣିଲେ। ଶାଫନ୍ ରାଜାଙ୍କୁ କହିଲେ, “ତୁମ୍ଭେ ତୁମ୍ଭର ଭୃତ୍ୟମାନଙ୍କୁ ଯାହା କରିବାକୁ କହିଅଛ, ତାହା ସେମାନେ କରୁଛନ୍ତି।

17 ସେମାନେ ସଦାପ୍ରଭୁଙ୍କ ମନ୍ଦିର ମଧ୍ୟରେ ଥିବା ଟଙ୍କା ଆଣି ତଦାରଖକାରୀ ଓ ଶ୍ରମିକମାନଙ୍କୁ ପଇଠ କରିଛନ୍ତି।”

18 ଏହା ପରେ ଶାଫନ୍ ଯିଏ କି ସମ୍ପାଦକ, ରାଜା ଯୋଶିୟଙ୍କୁ କହିଲେ, “ଯାଜକ ହି‌ଲ୍‌‌‌କିୟ ମୋତେ ଏକ ପୁସ୍ତକ ଦେଇଛନ୍ତି।” ଏହା ପରେ ଶାଫନ୍ ସେହି ପୁସ୍ତକ ପାଠ କରି ରାଜାଙ୍କୁ ଶୁଣାଇଲେ।

19 ରାଜା ଯୋଶିୟ ଯେତେବେଳେ ବ୍ୟବସ୍ଥା ନିୟମର ବାକ୍ୟଗୁଡ଼ିକ ପଢ଼ାଯିବାର ଶୁଣିଲେ, ସେ ଦୁଃଖ ପ୍ରକାଶ କରିବାକୁ ନିଜର ବସ୍ତ୍ରକୁ ଚିରି ପକାଇଲେ।

20 ଏହା ପରେ ରାଜା ହି‌ଲ୍‌‌‌କିୟ, ଶାଫ‌ନଙ୍କର ପୁତ୍ର ଅହୀକାମ୍, ମୀଖାୟଙ୍କର ପୁତ୍ର ଅ‌ବ୍‌ଦୋ‌ନ୍‌, ସଚିବ ଶାଫନ୍ ଓ ଭୃତ୍ୟ ଆସାୟଙ୍କୁ ଏକ ଆଦେଶ ଦେଲେ।

21 ରାଜା କହିଲେ, “ଯାଅ, ମୋ’ ତରଫରୁ ଓ ଯିହୁଦା ଏବଂ ଇସ୍ରାଏଲର ଅବଶିଷ୍ଟ ଲୋକଙ୍କ ତରଫରୁ ସଦାପ୍ରଭୁଙ୍କୁ ପଗ୍ଭର। ଯେଉଁ ପୁସ୍ତକ ମିଳିଅଛି, ସେଥିରେ ଥିବା ବାକ୍ୟ ସମ୍ବନ୍ଧରେ ସଦାପ୍ରଭୁଙ୍କୁ ପଗ୍ଭର। ସଦାପ୍ରଭୁ ଆମ୍ଭମାନଙ୍କ ପ୍ରତି ଅତ୍ୟନ୍ତ କ୍ରୋଧ କରିଅଛନ୍ତି, କାରଣ ଆମ୍ଭମାନଙ୍କର ପୂର୍ବପୁରୁଷମାନେ ସଦାପ୍ରଭୁଙ୍କ ବାକ୍ୟ ମାନିଲେ ନାହିଁ। ଏହି ପୁସ୍ତକରେ ଯେଉଁସବୁ ବିଷୟ ଉଲ୍ଲେଖ ହୋଇଅଛି, ତାହା ସେମାନେ କଲେ ନାହିଁ।”

22 ହି‌ଲ୍‌‌‌କିୟ ଓ ରାଜାଙ୍କର ସେବକାମାନେ ଭବିଷ୍ୟ‌ଦ୍‌ବକ୍ତ୍ରୀ ହୁ‌ଲ୍‌ଦାଙ୍କ ନିକଟକୁ ଗଲେ। ହୁ‌ଲ୍‌ଦା ଶଲ୍ଲୁମଙ୍କ ପତ୍ନୀ ଥିଲେ। ଶଲ୍ଲୁମ୍ ତୋଖତ୍‌ଙ୍କ ପୁତ୍ର ଥିଲେ। ତୋଖତ୍ ହସ୍ରଙ୍କ ପୁତ୍ର ଥିଲେ। ଶଲ୍ଲୁମ ରାଜାଙ୍କ ବସ୍ତ୍ରର ତତ୍ତ୍ୱାବଧାରକ ଥିଲେ। ହୁ‌ଲ୍‌ଦା ଯିରୁଶାଲମର ଦ୍ୱିତୀୟ ମହଲାରେ ବାସ କରୁଥିଲେ। ହି‌ଲ୍‌‌‌କିୟ ଓ ରାଜାଙ୍କ ସେବକଗଣ ହୁ‌ଲ୍‌ଦାଙ୍କୁ ସମସ୍ତ ଘଟଣା ଜଣାଇଲେ।

23 ହୁ‌ଲ୍‌ଦା ସେମାନଙ୍କୁ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି: ସେହି ଲୋକଙ୍କୁ କୁହ, ଯିଏ ତୁମ୍ଭକୁ ମୋ’ ପାଖକୁ ପଠାଇ ଥିଲେ।

24 ସଦାପ୍ରଭୁ ଏହିକଥା କହନ୍ତି, ‘ଆମ୍ଭେ ଏହି ସ୍ଥାନକୁ ଓ ଏହିଠାରେ ବାସ କରୁଥିବା ଲୋକଙ୍କ ନିମନ୍ତେ ବିପଦ ଆଣିବା। ଯିହୁଦାର ରାଜାଙ୍କ ସମ୍ମୁଖରେ ଏହି ପୁସ୍ତକରୁ ଯେଉଁସବୁ ବିଷୟ ପାଠ କରାଗଲା, ଆମ୍ଭେ ସେହି ସମସ୍ତ ଭୟଙ୍କର ବିଷୟ ଘଟାଇବା।

25 ଆମ୍ଭେ ଏହା କରିବା, କାରଣ ଲୋକମାନେ ଆମ୍ଭଙ୍କୁ ପରିତ୍ୟାଗ କରିଅଛନ୍ତି ଓ ଅନ୍ୟ ଦେବତାଗଣଙ୍କ ନିକଟରେ ସୁଗନ୍ଧିଧୂପ ଜାଳିଛନ୍ତି। ସେହି ଲୋକମାନେ ଯେଉଁସବୁ ମନ୍ଦ କର୍ମମାନ କରିଛନ୍ତି, ତଦ୍ଦ୍ୱାରା ଆମ୍ଭଙ୍କୁ କ୍ରୋଧାନ୍ୱିତ କରିଛନ୍ତି। ତେଣୁ ଆମ୍ଭେ ଏହି ସ୍ଥାନ ଉପରେ ଆମ୍ଭକୁ ମୋର ନିର୍ବାପିତ ହୋଇ ପାରୁ ନ ଥିବା ଅଗ୍ନିପରି କ୍ରୋଧ ଢାଳିବା।’

26 “କିନ୍ତୁ ଯିହୁଦାର ରାଜାଙ୍କୁ ଏହିକଥା ତୁମ୍ଭର କହିବା ଉଚିତ୍। ସେ ତୁମ୍ଭମାନଙ୍କୁ ସଦାପ୍ରଭୁଙ୍କ ନିକଟକୁ ପଗ୍ଭରିବା ନିମନ୍ତେ ପଠାଇଲେ: ‘ତୁମ୍ଭେ କିଛିକ୍ଷଣ ପୂର୍ବେ ଯେଉଁ ବାକ୍ୟ ଶୁଣିଲ, ସେ ବିଷୟରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି:

27 ଯେତେବେଳେ ତୁମ୍ଭେମାନେ ଏହି ସ୍ଥାନ ବିଷୟରେ ଓ ଏଠାରେ ବାସ କରୁଥିବା ଲୋକମାନଙ୍କ ବିଷୟରେ ପରମେଶ୍ୱରଙ୍କର ବାର୍ତ୍ତା ଶୁଣିଲ, ତୁମ୍ଭେମାନେ ଦୁଃଖ କଲ, ପରମେଶ୍ୱରଙ୍କ ଆଗରେ ନିଜକୁ ନମ୍ର କଲ ଏବଂ ଦୁଃଖରେ ନିଜର ବସ୍ତ୍ରକୁ ଚିରି ପକାଇଲ। ଆମ୍ଭେ ତାହା ଦେଖିଲୁ, ସଦାପ୍ରଭୁ କହନ୍ତି।

28 ଆମ୍ଭେ ତୁମ୍ଭକୁ ତୁମ୍ଭର ପୂର୍ବପୁରୁଷମାନଙ୍କ ନିକଟକୁ ନେଇଯିବା। ତୁମ୍ଭେ ତୁମ୍ଭର କବରକୁ ଶାନ୍ତିରେ ଯିବ। ଆମ୍ଭେ ଏହି ସ୍ଥାନ କି ଏଠାରେ ବାସ କରୁଥିବା ଲୋକମାନଙ୍କ ଉପରେ ଯେଉଁ ବିପଦ ଆଣିବା, ତାହା ତୁମ୍ଭକୁ ଦେଖିବାକୁ ପଡ଼ିବ ନାହିଁ।’” ହି‌ଲ୍‌‌‌କିୟ ଓ ରାଜାଙ୍କ ସେବକମାନେ ଏହି ବାର୍ତ୍ତାସବୁ ରାଜା ଯୋଶିୟଙ୍କ ନିକଟକୁ ଆଣିଲେ।

29 ଏହା ପରେ ରାଜା ଯୋଶିୟ ଯିହୁଦା ଓ ଯିରୁଶାଲମର ସମସ୍ତ ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କୁ ତାଙ୍କୁ ସାକ୍ଷାତ କରିବାକୁ ଡାକିଲେ।

30 ରାଜା ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ। ଯିହୁଦାର ସମସ୍ତ ଲୋକ, ଯିରୁଶାଲମରେ ବାସ କରୁଥିବା ଲୋକମାନେ, ଯାଜକମାନେ, ଲେବୀୟମାନେ, ଏବଂ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଓ ଗୁରୁତ୍ୱହୀନ ଲୋକମାନେ, ଯୋଶିୟଙ୍କ ସହିତ ଥିଲେ। ଯୋଶିୟ ସେମାନଙ୍କ ନିକଟରେ ବ୍ୟବସ୍ଥା ନିୟମ ପୁସ୍ତକରୁ ସବୁ ବାକ୍ୟ ପଢ଼ି ଶୁଣାଇଲେ। ସଦାପ୍ରଭୁଙ୍କ ମନ୍ଦିର ମଧ୍ୟରୁ ସେହି ପୁସ୍ତକ ମିଳିଥିଲା।

31 ଏହା ପରେ ରାଜା ତାଙ୍କ ସ୍ଥାନରେ ଉଠି ଛିଡ଼ା ହେଲେ ଓ ସେ ସଦାପ୍ରଭୁଙ୍କ ସହିତ ଗୋଟିଏ ନିୟମ କଲେ। ସେ ସଦାପ୍ରଭୁଙ୍କ ଅନୁଗମନ କରିବା ଓ ସଦାପ୍ରଭୁଙ୍କ ଆଦେଶ, ନିୟମ ଓ ନୀତିକୁ ମାନିବା ପାଇଁ ସମସ୍ତ ହୃଦୟ ଓ ଆତ୍ମାର ସହିତ ପୁସ୍ତକରେ ଥିବା ନିୟମର ବାକ୍ୟକୁ ମାନିବା ନିମନ୍ତେ ସମ୍ମତ ହେଲେ।

32 ଏହା ପରେ ଯୋଶିୟ ଯିରୁଶାଲମ ଓ ବିନ୍ୟାମୀନର ସମସ୍ତ ଲୋକଙ୍କୁ ସେହି ନିୟମକୁ ଗ୍ରହଣ କରିବା ନିମନ୍ତେ ଶପଥ କରାଇଲେ। ଯିରୁଶାଲମର ଲୋକମାନେ ସେମାନଙ୍କର ପୂର୍ବପୁରୁଷମାନେ ଯେଉଁ ପରମେଶ୍ୱରଙ୍କର ବାଧ୍ୟ ହୋଇଥିଲେ, ସେହି ପରମେଶ୍ୱରଙ୍କ ନିୟମର ବାଧ୍ୟ ହେଲେ।

33 ଇସ୍ରାଏଲର ଲୋକମାନଙ୍କ ନିକଟରେ ଅନେକ ଦେଶର ଦେବାଦେବୀ ମୂର୍ତ୍ତିମାନ ଥିଲା। କିନ୍ତୁ ଯୋଶିୟ ସେହିସବୁ ଭୟଙ୍କର ମୂର୍ତ୍ତିଗୁଡ଼ିକୁ ଧ୍ୱଂସ କରିଦେଲେ। ଯୋଶିୟ ଇସ୍ରାଏଲର ସମସ୍ତ ଲୋକଙ୍କୁ ସଦାପ୍ରଭୁ ସେମାନଙ୍କର ପରମେଶ୍ୱରଙ୍କର ସେବା କରାଇଲେ। ଯୋଶିୟ ଜୀବିତ ଥିବା ପର୍ଯ୍ୟନ୍ତ ଲୋକମାନେ ସଦାପ୍ରଭୁ, ସେମାନଙ୍କ ପୂର୍ବପୁରୁଷମାନଙ୍କ ପରମେଶ୍ୱରଙ୍କର ସେବା କଲେ।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Následuj nás:



Reklamy