Online Bible

- Reklamy -

2 ବଂଶାବଳୀ 31 - ପବିତ୍ର ବାଇବଲ


ରାଜା ହିଜକିୟ ଉନ୍ନତିମୂଳକ କାର୍ଯ୍ୟ କଲେ

1 ନିସ୍ତାରପର୍ବର ଉତ୍ସବ ଶେଷ ହେଲା। ନିସ୍ତାରପର୍ବ ନିମନ୍ତେ ଯିରୁଶାଲମରେ ଥିବା ଇସ୍ରାଏଲର ଲୋକମାନେ ଯିହୁଦାର ସହରଗୁଡ଼କୁ ଫେରିଗଲେ। ଏହା ପରେ ସେମାନେ ସେହି ସହରଗୁଡ଼ିକରେ ଥିବା ପଥରର ମୂର୍ତ୍ତିକୁ ଭାଙ୍ଗି ଧୂଳିସାତ୍ କଲେ। ସେହି ପଥର ମୂର୍ତ୍ତିଗୁଡ଼ିକ ଭଣ୍ଡ ଦେବତାମାନଙ୍କର ପୂଜା କରିବା ନିମନ୍ତେ ବ୍ୟବହୃତ ହେଉଥିଲା। ସେହି ଲୋକମାନେ ଆଶେରା ସ୍ତମ୍ଭଗୁଡ଼ିକୁ ମଧ୍ୟ କାଟି ପକାଇଲେ। ଆଉ ସେମାନେ ଯିହୁଦା ଓ ବିନ୍ୟାମୀନରେ ଥିବା ଉଚ୍ଚ ସ୍ଥାନ ଓ ଯଜ୍ଞବେଦିଗୁଡ଼ିକୁ ନଷ୍ଟ କରିଦେଲେ। ଲୋକମାନେ ଇଫ୍ରୟିମ୍ ଓ ମନଃଶିର ସମସ୍ତ ଅଞ୍ଚଳରେ ମଧ୍ୟ ସେହି ପ୍ରକାର କଲେ। ଭଣ୍ଡ ଦେବତାର ପୂଜା ଉଦ୍ଦେଶ୍ୟରେ ବ୍ୟବହୃତ ସମସ୍ତ ବସ୍ତୁକୁ ବିନଷ୍ଟ ନ କରିବା ପର୍ଯ୍ୟନ୍ତ ଲୋକମାନେ ଏହିପରି କାର୍ଯ୍ୟ କଲେ। ଏହା ପରେ ସମସ୍ତ ଇସ୍ରାଏଲୀୟମାନେ ସେମାନଙ୍କର ନିଜ ସହର ଓ ଗୃହକୁ ଫେରିଗଲେ।

2 ରାଜା ହିଜକିୟ ଯାଜକ ଓ ଲେବୀୟମାନଙ୍କୁ ସେମାନଙ୍କର ଭିନ୍ନ ଭିନ୍ନ ଦଳ ଅନୁସାରେ ସଂଗଠିତ କଲେ। ପ୍ରତ୍ୟେକ ଦଳର ନିଜସ୍ୱ ବିଶେଷ କାର୍ଯ୍ୟ ରହିଥିଲା। ତେଣୁ ଯାଜକମାନେ ଓ ଲେବୀୟମାନେ ପୁନର୍ବାର ହୋମବଳି ଉପହାର ଓ ମଙ୍ଗଳାର୍ଥକ ନୈବେଦ୍ୟ ଉତ୍ସର୍ଗ କରିବାର କାର୍ଯ୍ୟ କଲେ। ଆଉ ମଧ୍ୟ ପରମେଶ୍ୱର ମନ୍ଦିରରେ ସେବାକାର୍ଯ୍ୟ ଏବଂ ସଦାପ୍ରଭୁଙ୍କ ମନ୍ଦିର ଦ୍ୱାରଗୁଡ଼ିକ ନିକଟରେ ପ୍ରଶଂସା ଗାନ କରିବା କାର୍ଯ୍ୟ ସେମାନଙ୍କର ଥିଲା।

3 ହିଜକିୟ ତାଙ୍କର ନିଜର ପଶୁପଲ ମଧ୍ୟରୁ କେତୋଟିକୁ ହୋମବଳି ଉପହାର ସ୍ୱରୂପେ ଉତ୍ସର୍ଗ କରିବାକୁ ଦେଲେ। ଏହିସବୁ ପଶୁଗୁଡ଼ିକୁ ପ୍ରତିଦିନ ସକାଳେ ଓ ସନ୍ଧ୍ୟା ସମୟରେ ହୋମବଳି ଉପହାର ସ୍ୱରୂପେ ବ୍ୟବହାର କରାଯାଉଥିଲା। ଏହି ପଶୁଗୁଡ଼ିକୁ ବିଶ୍ରାମର ବିଶେଷ ଦିନ, ଅମାବାସ୍ୟା ଉତ୍ସବ ଓ ଅନ୍ୟାନ୍ୟ ବିଶେଷ ସଭାମାନଙ୍କରେ ଉତ୍ସର୍ଗ କରାଯାଉଥିଲା। ସଦାପ୍ରଭୁଙ୍କ ବ୍ୟବସ୍ଥା ନିୟମରେ ଯେଉଁପରି ଲେଖାଯାଉଥିଲା, ଏହା ସେହିପରି କରାଯାଉଥିଲା।

4 ହିଜକିୟ ଯିରୁଶାଲମରେ ବାସ କରୁଥିବା ଲୋକମାନଙ୍କୁ ସେମାନଙ୍କର ଶସ୍ୟର ପ୍ରଥମ ଅଂଶ ଯାଜକ ଓ ଲେବୀୟମାନଙ୍କୁ ଦେବା ନିମନ୍ତେ ଆଦେଶ ଦେଲେ, ଯେଉଁଥିପାଇଁ ଯାଜକ ଓ ଲେବୀୟମାନେ ବ୍ୟବସ୍ଥା ନିୟମାନୁଯାୟୀ କାର୍ଯ୍ୟ କରିବାରେ ସେମାନଙ୍କର ସମସ୍ତ ସମୟ ଅତିବାହିତ କରି ପାରିବେ।

5 ଦେଶର ଚତୁର୍ଦ୍ଦିଗର ଲୋକମାନେ ଏହି ଆଦେଶ ଶୁଣିଲେ। ଅତଏବ ଇସ୍ରାଏଲର ଲୋକମାନେ ସେମାନଙ୍କର ଅମଳ ହୋଇଥିବା ଖାଦ୍ୟଶସ୍ୟ, ଅଙ୍ଗୁର ରସ, ତୈଳ, ମହୁ, ଓ ସେମାନଙ୍କ କ୍ଷେତ୍ରରେ ହେଉଥିବା ସମସ୍ତ ଫସଲର ପ୍ରଥମ ଅଂଶ ଦେଲେ। ସେମାନେ ସେହି ସମସ୍ତ ସାମଗ୍ରୀଗୁଡ଼ିକର ଦଶମାଂଶ ଆଣିଲେ, ଯେଉଁଗୁଡ଼ିକ ଯଥେଷ୍ଟ ଭାବରେ ଯୋଗାଇଲେ।

6 ଇସ୍ରାଏଲୀୟ ଓ ଯିହୁଦୀୟ ଲୋକମାନେ, ଯେଉଁମାନେ ଯିହୁଦାର ନଗରରେ ବାସ କରୁଥିଲେ, ସେମାନଙ୍କର ପଶୁପଲ ଓ ମେଷପଲର ମଧ୍ୟ ଦଶମାଂଶ ଆଣିଲେ। ସଦାପ୍ରଭୁଙ୍କ ନିମନ୍ତେ ଉତ୍ସର୍ଗୀକୃତ ପବିତ୍ର ଜିନିଷର ଏକ ଦଶମାଂଶ ଆଣିଲେ। ଏହି ସମସ୍ତ ସାମଗ୍ରୀ ସେମାନେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱରଙ୍କ ନିକଟକୁ ଆଣିଲେ। ସେମାନେ ଏହି ସମସ୍ତ ସାମଗ୍ରୀକୁ ଗଦାକରି ରଖିଲେ।

7 ଲୋକମାନେ ସେହି ସାମଗ୍ରୀଗୁଡ଼ିକୁ ତୃତୀୟ ମାସରେ ଆଣିବାକୁ ଆରମ୍ଭ କଲେ ଓ ସେମାନେ ସେହି ବସ୍ତୁସବୁ ସପ୍ତମ ମାସରେ ସଂଗ୍ରହ କରି ରଖିବା ଶେଷ କଲେ।

8 ଯେତେବେଳେ ହିଜକିୟ ଓ ନେତାମାନେ ଆସିଲେ, ସେମାନେ ସେହି ସଂଗୃହୀତ ବସ୍ତୁ ସବୁର ସ୍ତୁପସବୁ ଦେଖିବାକୁ ପାଇଲେ। ସେମାନେ ସଦାପ୍ରଭୁଙ୍କର ଓ ତାଙ୍କର ଲୋକ, ଇସ୍ରାଏଲର ଲୋକମାନଙ୍କର ପ୍ରଶଂସା କଲେ।

9 ଏହା ପରେ ହିଜକିୟ, ଯାଜକ ଓ ଲେବୀୟମାନଙ୍କୁ ଏହି ସ୍ତୁପୀକୃତ ବସ୍ତୁଗୁଡ଼ିକ ବିଷୟରେ ପଗ୍ଭରିଲେ।

10 ସାଦୋକ୍ ବଂଶର ମୁଖ୍ୟଯାଜକ ଅସରିୟ ହିଜକିୟଙ୍କୁ କହିଲେ, “ଲୋକମାନେ ଯେଉଁ ସମୟଠାରୁ ସଦାପ୍ରଭୁଙ୍କ ଗୃହକୁ ଉପହାରସବୁ ଆଣିବା ଆରମ୍ଭ କଲେ, ସେହି ସମୟଠାରୁ ଆମ୍ଭେମାନେ ପ୍ରଚୁର ଖାଦ୍ୟ ଭୋଜନ କରିବାକୁ ପାଉଅଛୁ। ଆମ୍ଭମାନଙ୍କ ଉଦର ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଆମ୍ଭେମାନେ ଭୋଜନ କରି ସାରିଲୁଣି ଓ ଆହୁରି ପ୍ରଚୁର ବଳି ପଡ଼ିଅଛି! ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଆଶୀର୍ବାଦ କରିଛନ୍ତି। ସେଥିନିମନ୍ତେ ଆମ୍ଭମାନଙ୍କର ଏତେ ଖାଦ୍ୟ ବଳିପଡ଼ୁଅଛି।”

11 ଏହା ପରେ ହିଜକିୟ, ଯାଜକମାନଙ୍କୁ ସଦାପ୍ରଭୁଙ୍କ ମନ୍ଦିର ନିମନ୍ତେ ଭଣ୍ଡାରଘର ସବୁ ପ୍ରସ୍ତୁତ କରିବାକୁ କହିଲେ। ତେଣୁ ଏହିପରି କରାଗଲା।

12 ଏହା ପରେ ଯାଜକମାନେ ନୈବେଦ୍ୟ, ଦଶମାଂଶ ଓ ଅନ୍ୟାନ୍ୟ ବସ୍ତୁସବୁ ଆଣିଲେ, ଯେଉଁଗୁଡ଼ିକ କେବଳ ସଦାପ୍ରଭୁଙ୍କୁ ଦିଆଯିବା ନିମନ୍ତେ ଉଦ୍ଧିଷ୍ଟ ଥିଲା, ସେହି ସମସ୍ତ ସଂଗୃହୀତ ବସ୍ତୁ ମନ୍ଦିର ମଧ୍ୟସ୍ଥ ଭଣ୍ଡାର ଘରମାନଙ୍କରେ ରଖାଗଲା। ଲେବୀୟ କନାନିୟ ସେହି ସମସ୍ତ ସଂଗୃହୀତ ବସ୍ତୁର ଦାୟିତ୍ୱରେ ଥିଲେ, ଶିମିୟି ଦ୍ୱିତୀୟରେ ଏହି ଦାୟିତ୍ୱରେ ଥିଲେ। ଶିମିୟି କନାନିୟଙ୍କ ଭ୍ରାତା ଥିଲେ।

13 କନାନିୟ ଓ ତାଙ୍କର ଭ୍ରାତା ଶିମିୟି ଏହି ଲୋକମାନଙ୍କର ତତ୍ତ୍ୱାବଧାରକ ଥିଲେ: ଯିହୀୟେଲ୍, ଅସସିୟ, ନହତ୍, ଅସାହେଲ୍, ଯିରେମୋତ୍, ଯୋଷାବଦ୍, ଇଲୀୟେଲ, ଯିଷ୍ମଖିୟ, ମାହତ୍ ଓ ବନାୟ। ରାଜା ହିଜକିୟ ଓ ପରମେଶ୍ୱରଙ୍କ ମନ୍ଦିର ଦାୟିତ୍ୱରେ ଥିବା ପଦାଧିକାରୀ ଅସରିୟ ସେହି ଲୋକମାନଙ୍କୁ ମନୋନୀତ କଲେ।

14 ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଲୋକମାନେ ମୁକ୍ତ ଭାବରେ ଯେଉଁ ନୈବେଦ୍ୟ ଦେଉଥିଲେ, କୋରି ତାହାର ଦାୟିତ୍ୱରେ ଥିଲେ। ସଦପ୍ରଭୁଙ୍କ ଉଦ୍ଦେଶ୍ୟରେ ଦତ୍ତ, ସଂଗୃହୀତ ଦାନଗୁଡ଼ିକୁ ବିତରଣ କରିବା ଦାୟିତ୍ୱ ତାଙ୍କର ଥିଲା। ଆଉ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ରୀକୃତ ହୋଇଥିବା ଉପହାରଗୁଡ଼ିକୁ ବିତରଣ କରିବାର ଦାୟିତ୍ୱ ମଧ୍ୟ ତାଙ୍କର ଥିଲା। କୋରି ପୂର୍ବଦିଗରେ ଥିବା ଦ୍ୱାରର ଦ୍ୱାରପାଳ ଥିଲେ। ତାଙ୍କ ପିତାଙ୍କର ନାମ ଥିଲା ଲେବୀୟ ଯିମ୍ନା।

15 ସେ ଏଦନ୍, ମିନ୍ୟାମିନ, ଯେଶୂୟ, ଶମୟିୟ, ଅମରିୟ ଓ ଶିଖନିୟ କୋରିଙ୍କୁ ସାହାଯ୍ୟ କରୁଥିଲେ। ସେହି ବ୍ୟକ୍ତିମାନେ, ଯାଜକମାନେ ବାସ କରୁଥିବା ସହରଗୁଡ଼ିକରେ ବିଶ୍ୱସ୍ତ ଭାବରେ ସେବାକାର୍ଯ୍ୟ କରୁଥିଲେ। ସେମାନେ ସଂଗୃହୀତ ସାମଗ୍ରୀକୁ ସେମାନଙ୍କର ଆତ୍ମୀୟ ଯାଜକମାନଙ୍କୁ ଦେଲେ, ସେମାନେ ବୃଦ୍ଧ ହୁଅନ୍ତୁ ବା ତରୁଣ।

16 ଏହି ବ୍ୟକ୍ତିଗଣ ଲେବୀୟ ବଂଶର ଇତିହାସରେ ନାମ ଲେଖାଥିବା ତିରିଶ୍ ବର୍ଷୀୟଠାରୁ ଅଧିକ ବୟସ୍କ ପୁରୁଷଙ୍କ ଦ୍ୱାରା ସଂଗୃହୀତ ବସ୍ତୁଗୁଡ଼ିକ ଦେଉଥିଲେ। ଏହି ସମସ୍ତ ପୁରୁଷମାନଙ୍କୁ ପ୍ରତ୍ୟହ ସେବାକାର୍ଯ୍ୟ କରିବା ନିମନ୍ତେ ସଦାପ୍ରଭୁଙ୍କ ମନ୍ଦିରରେ ପ୍ରବେଶ କରିବାକୁ ପଡ଼ୁଥିଲା, ପ୍ରତ୍ୟେକ ଦଳରେ ଲେବୀୟମାନଙ୍କର ସେମାନଙ୍କର ନିଜ ଦାୟିତ୍ୱ ରହିଥିଲା।

17 ଯାଜକମାନଙ୍କୁ ସେମାନଙ୍କର ସଂଗୃହୀତ ବସ୍ତୁର ଅଂଶ ଦିଆଯାଉ ଥିଲା। ଏହିସବୁ ବିଭିନ୍ନ ବଂଶରୁ, ଯେଉଁ ଅନୁଯାୟୀ ବଂଶ ଇତିହାସରେ ତାଲିକାଭୁକ୍ତ ହୋଇଛନ୍ତି, ତହିଁନୁଯାୟୀ କରାଯାଉଥିଲା। କୋଡ଼ିଏ ବୟସ୍କ ଓ ତତୁର୍ଦ୍ଧ୍ୱ ବୟସର ଲେବୀୟମାନେ ସେମାନଙ୍କର ସଂଗୃହୀତ ଅଂଶ ପାଉଥିଲେ। ଏହା ସେମାନଙ୍କର ଦାୟିତ୍ୱ ଓ ସେମାନଙ୍କର ଦଳନୁଯାୟୀ ନିରୂପଣ କରାଯାଉଥିଲା।

18 ଲେବୀୟ ଶିଶୁ, ସ୍ତ୍ରୀ, ପୁତ୍ର ଓ କନ୍ୟାଗଣ ମଧ୍ୟ ଏହି ସଂଗୃହୀତ ବସ୍ତୁର ଅଂଶ ଲାଭ କରୁଥିଲେ। ଯେଉଁ ଲେବୀୟମାନେ ବଂଶର ଇତିହାସରେ ତାଲିକାଭୁକ୍ତ ହୋଇଥିଲେ, ସେମାନଙ୍କ ନିମନ୍ତେ ଏହିପରି କରାଯାଉ ଥିଲା। କାରଣ ଲେବୀୟମାନେ ସର୍ବଦା ସେବାକାର୍ଯ୍ୟ ନିମନ୍ତେ ନିଜକୁ ପବିତ୍ର ଓ ପ୍ରସ୍ତୁତ କରି ରଖୁଥିଲେ।

19 ଲେବୀୟମାନେ ଯେଉଁ ସହରରେ ବାସ କରୁଥିଲେ, ତାହା ନିକଟରେ ହାରୋଣଙ୍କ ବଂଶଧର କେତେଜଣ ଯାଜକଙ୍କର ଶସ୍ୟକ୍ଷେତ୍ର ଥିଲା। ଆଉ ହାରୋଣଙ୍କର କେତେଜଣ ବଂଶଧର ମଧ୍ୟ ସହରମାନଙ୍କରେ ବାସ କରୁଥିଲେ। ହାରୋଣଙ୍କର ଏହି ବଂଶଧରମାନଙ୍କୁ ସଂଗୃହୀତ ଦ୍ରବ୍ୟରୁ ଅଂଶ ଦେବା ନିମନ୍ତେ ଏହି ପ୍ରତ୍ୟେକ ସହରର ଲୋକମାନଙ୍କୁ ସେମାନଙ୍କ ନାମ ଦ୍ୱାରା ମନୋନୀତ କରାଯାଉ ଥିଲା। ଲେବୀୟମାନଙ୍କ ବଂଶର ଇତିହାସରେ ନାମ ଭୁକ୍ତ କରାଯାଇଥିବା ସମସ୍ତ ପୁରୁଷ ଓ ଅନ୍ୟମାନେ ସଂଗୃହୀତ ଦ୍ରବ୍ୟର ଅଂଶ ଲାଭ କରୁଥିଲେ।

20 ଅତଏବ ରାଜା ହିଜକିୟ ଯିହୁଦାରେ ଏହି ସମସ୍ତ ଉତ୍ତମ କାର୍ଯ୍ୟ କଲେ। ସେ ତାଙ୍କର ସଦାପ୍ରଭୁ ପରମେଶ୍ୱରଙ୍କ ଦୃଷ୍ଟିରେ ଉତ୍ତମ ଓ ଯଥାର୍ଥ କର୍ମ କଲେ ଓ ବିଶ୍ୱସ୍ତ ଥିଲେ।

21 ଯେଉଁ ପ୍ରତ୍ୟେକ କାର୍ଯ୍ୟ ସେ ଆରମ୍ଭ କଲେ, ଯଥା: ପରମେଶ୍ୱରଙ୍କ ମନ୍ଦିରର ସେବାକାର୍ଯ୍ୟ ଓ ବ୍ୟବସ୍ଥା ନିୟମ ଓ ଆଦେଶର ବାଧ୍ୟ ହେବା ଏବଂ ତାଙ୍କର ପରମେଶ୍ୱରଙ୍କର ଅନୁଗମନ କରିବାରେ ସେ ସଫଳ ହେଲେ। ହିଜକିୟ ଏହି ସମସ୍ତ ବିଷୟ ତାଙ୍କର ହୃଦୟର ସହିତ କଲେ।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Následuj nás:



Reklamy