2 ବଂଶାବଳୀ 17 - ପବିତ୍ର ବାଇବଲଯିହୁଦାର ରାଜା ଯିହୋଶାଫଟ୍ 1 ଆସାଙ୍କ ସ୍ଥାନରେ ଯିହୋଶାଫଟ୍ ଯିହୁଦାର ନୂତନ ରାଜା ହେଲେ। ଯିହୋଶାଫଟ୍ ଆସାଙ୍କର ପୁତ୍ର ଥିଲେ। ଯିହୋଶାଫଟ୍ ଯିହୁଦାକୁ ଆହୁରି ବଳିଷ୍ଠ କଲେ, ଯେପରି ସେମାନେ ଇସ୍ରାଏଲ ବିରୁଦ୍ଧରେ ଲଢ଼େଇ କରି ପାରିବେ। 2 ଯିହୁଦାର ଯେଉଁ ସହରଗୁଡ଼ିକ ଦୁର୍ଗମାନଙ୍କରେ ପରିଣତ ହୋଇଥିଲା, ସେ ସେଠାରେ ସୈନ୍ୟମାନଙ୍କୁ ସ୍ଥାପନ କଲେ। ଯିହୋଶାଫଟ୍ ତାଙ୍କର ପିତା ଆସା ଅଧିକାର କରିଥିବା ଯିହୁଦା ଓ ଇଫ୍ରୟିମର ସହରଗୁଡ଼ିକରେ ଦୁର୍ଗମାନ ନିର୍ମାଣ କଲେ। 3 ସଦାପ୍ରଭୁ ଯିହୋଶାଫଟଙ୍କ ସହିତ ଥିଲେ, କାରଣ ଯିହୋଶାଫଟ୍ ଆରମ୍ଭରୁ ତାଙ୍କର ପୂର୍ବପୁରୁଷ ଦାଉଦଙ୍କ ତୁଲ୍ୟ ଉତ୍ତମ କର୍ମମାନ କରିଥିଲେ। ଯିହୋଶାଫଟ୍ ବାଲ୍ ପ୍ରତିମାମାନଙ୍କର ଉପାସନା କଲେ ନାହିଁ। 4 ଯିହୋଶାଫଟଙ୍କର ପୂର୍ବପୁରୁଷମାନେ ଯେଉଁ ପରମେଶ୍ୱରଙ୍କର ଅନୁଗାମୀ ହୋଇଥିଲେ, ଯିହୋଶାଫଟ୍ ତାଙ୍କର ଅନ୍ୱେଷଣ କଲେ। ସେ ପରମେଶ୍ୱରଙ୍କ ଆଜ୍ଞା ସକଳର ଅନୁଗାମୀ ହେଲେ। ଇସ୍ରାଏଲର ଲୋକମାନେ ଯେପରି ଜୀବନ କାଟୁଥିଲେ, ସେ ସେପ୍ରକାର ଜୀବନ କାଟୁ ନ ଥିଲେ। 5 ସଦାପ୍ରଭୁ ଯିହୋଶାଫଟଙ୍କୁ ଯିହୁଦାର ଏକ ଅତି ଶକ୍ତିଶାଳୀ ରାଜା କଲେ। ଯିହୁଦାର ସମସ୍ତ ଲୋକ ଯିହୋଶାଫଟଙ୍କ ନିମନ୍ତେ ଉପହାରମାନ ଆଣିଲେ। ତେଣୁ ଯିହୋଶାଫଟଙ୍କର ଧନସମ୍ପଦ ଓ ସମ୍ମାନ ପ୍ରଚୁର ହେଲା। 6 ଯିହୋଶାଫଟ୍ ସମ୍ପୂର୍ଣ୍ଣ ଆନ୍ତରିକତାର ସହିତ ସଦାପ୍ରଭୁଙ୍କୁ ଉତ୍ସର୍ଗୀକୃତ ହୋଇଥିଲେ। ସେ ସମସ୍ତ ଉଚ୍ଚସ୍ଥାନ ଓ ଆଶେରା ସ୍ତମ୍ଭଗୁଡ଼ିକୁ ଯିହୁଦା ଦେଶରୁ ଫୋପାଡ଼ି ଦେଲେ। 7 ଯିହୋଶାଫଟ୍ ତାଙ୍କର ନେତାଗଣଙ୍କୁ ଯିହୁଦାର ସହରମାନଙ୍କୁ ଶିକ୍ଷା ଦେବା ନିମନ୍ତେ ପଠାଇଲେ। ଏହା ଯିହୋଶାଫଟଙ୍କ ରାଜତ୍ୱର ତୃତୀୟ ବର୍ଷରେ ଘଟିଲା। ସେହି ନେତାମାନେ ଥିଲେ ବିନ୍ହୟିଲ, ଓବଦିୟ, ଜିଖରିୟ, ନଥନେଲ୍ ଓ ମୀଖାୟ। 8 ଯିହୋଶାଫଟ୍ ଏହି ନେତାମାନଙ୍କ ସହିତ ଲେବୀୟମାନଙ୍କୁ ମଧ୍ୟ ପଠାଇଲେ। ସେହି ଲେବୀୟମାନେ ଥିଲେ ଶମୟିୟ, ନଥନିୟ ସବ୍ଦିୟ, ଅସାହେଲ୍, ଶମୀରାମୋତ୍, ଯିହୋନାଥନ, ଅଦୋନିୟ, ଟୋବିୟ, ଟୋବଦୋନିୟ, ଇଲୀଶାମା, ଯିହୋରାମ ଓ ଯାଜକମାନଙ୍କୁ ମଧ୍ୟ ପଠାଇଲେ। 9 ସେହି ନେତା ଓ ଲେବୀୟ ଓ ଯାଜକମାନେ ଯିହୁଦାର ଲୋକମାନଙ୍କୁ ଶିକ୍ଷା ଦେଲେ। ସେମାନଙ୍କ ନିକଟରେ “ସଦାପ୍ରଭୁଙ୍କ ନିୟମପୁସ୍ତକ” ଥିଲା। ସେମାନେ ଯିହୁଦାର ସମସ୍ତ ସହର ମଧ୍ୟଦେଇ ଗଲେ ଓ ଲୋକମାନଙ୍କୁ ଶିକ୍ଷା ଦେଲେ। 10 ଯିହୁଦା ନିକଟସ୍ଥ ଦେଶଗୁଡ଼ିକ ସଦାପ୍ରଭୁଙ୍କୁ ଭୟ କରୁଥିଲେ। ସେଥି ନିମନ୍ତେ ସେମାନେ ଯିହୋଶାଫଟଙ୍କ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ କଲେ ନାହିଁ। 11 କେତେକ ପଲେଷ୍ଟୀୟ ଲୋକ ଯିହୋଶାଫଟଙ୍କ ନିମନ୍ତେ ଉପହାରମାନ ଆଣିଲେ। ଆହୁରି ମଧ୍ୟ ସେମାନେ ଯିହୋଶାଫଟଙ୍କ ନିମନ୍ତେ ରୂପା ଆଣିଲେ। କେତେକ ଆରବୀୟ ଲୋକ ଯିହୋଶାଫଟଙ୍କ ନିମନ୍ତେ ପଶୁପଲ ଭେଟୀ ସ୍ୱରୂପେ ଆଣିଲେ। ସେମାନେ ତାଙ୍କୁ 7,700 ଗୋଟି ଛେଳି ଓ 7,700 ଗୋଟି ମେଣ୍ଢା ଦେଲେ। 12 ଯିହୋଶାଫଟ୍ କ୍ରମେ ଅଧିକରୁ ଅଧିକ ପରାକ୍ରମୀ ହୋଇ ଉଠିଲେ। ସେ ଯିହୁଦା ଦେଶରେ ଅନେକ ଦୁର୍ଗ ଓ ଭଣ୍ଡାର ନଗରମାନ ନିର୍ମାଣ କଲେ। 13 ସେ ଯିହୁଦା ନଗରରେ ବହୁତ କିଛି ରଖିଲେ। ଆଉ ଯିହୋଶାଫଟ୍ ଯିରୁଶାଲମରେ ତାଲିମପ୍ରାପ୍ତ ସୈନ୍ୟମାନଙ୍କୁ ରଖିଲେ। 14 ସେହି ସୈନ୍ୟମାନଙ୍କୁ ସେମାନଙ୍କ ପରିବାରବର୍ଗରେ ତାଲିକାଭୁକ୍ତ କରାଗଲା। ଯିରୁଶାଲମରେ ଅବସ୍ଥାପିତ ସେହି ସୈନ୍ୟମାନଙ୍କର ତାଲିକା ଏହି: ଯିହୁଦା ଗୋଷ୍ଠୀରୁ, ଏହି ଲୋକମାନେ ହଜାର ହଜାର ସୈନ୍ୟଙ୍କର ସେନାପତି ଥିଲେ: ଅଦ୍ନ 300,000 ସୈନ୍ୟଙ୍କର ସେନାଧ୍ୟକ୍ଷ ଥିଲେ। 15 ଯିହୋହାନନ୍ 280,000 ସୈନ୍ୟଙ୍କର ସେନାଧ୍ୟକ୍ଷ ଥିଲେ, 16 ଅମସିୟ 200,000 ସୈନ୍ୟଙ୍କର ସେନାଧ୍ୟକ୍ଷ ଥିଲେ। ସିଖ୍ରିଙ୍କର ପୁତ୍ର ଅମସିୟ ସଦାପ୍ରଭୁଙ୍କ ସେବା କରିବା ନିମନ୍ତେ ଶପଥ କରିଥିଲେ। 17 ବିନ୍ୟାମୀନ୍ ଗୋଷ୍ଠୀର ଏହିମାନେ ସେନାଧ୍ୟକ୍ଷ ଥିଲେ: ଇଲିୟାଦାଙ୍କର 200,000 ଜଣ ସୈନ୍ୟ ଥିଲେ, ଯେଉଁମାନେ ଧନୁ, ତୀର ଓ ଢାଲ ବ୍ୟବହାର କରୁଥିଲେ। ଇଲିୟାଦା ଜଣେ ଅତି ସାହସୀ ସୈନ୍ୟ ଥିଲେ। 18 ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ଯିହୋଷାବଦଙ୍କର 180,000 ଜଣ ସୈନ୍ୟ ଥିଲେ। 19 ସେହିସବୁ ସୈନ୍ୟମାନେ ରାଜା ଯିହୋଶାଫଟଙ୍କର ସେବା କରୁଥିଲେ। ଯିହୁଦା ଦେଶସାରା ଥିବା ଦୁର୍ଗଗୁଡ଼ିକରେ ରାଜାଙ୍କର ଆହୁରି ଅନ୍ୟ ଲୋକମାନେ ମଧ୍ୟ ଥିଲେ। |
Odia Holy Bible: Easy-to-Read Version (OERV)
@ 2004 Bible League International
Bible League International