ମାଥିଉ 22 - ପବିତ୍ର ବାଇବଲ (CL) NT (BSI)ବିବାହ ଭୋଜି (ଦୃଷ୍ଟାନ୍ତ କଥା) ( ଲୂକ ୧୪:୧୫-୨୪ ) 1 ଯୀଶୁ ପୁନର୍ବାର ଦୃଷ୍ଟାନ୍ତ ଛଳରେ ଲୋକମାନଙ୍କୁ ଶିକ୍ଷା ଦେଲେ, 2 “ଈଶ୍ୱରଙ୍କ ରାଜ୍ୟ କିପରି, ତା’ର ଆଉ ଗୋଟିଏ ଦୃଷ୍ଟାନ୍ତ ଶୁଣ। ଏକଦା ଜଣେ ରାଜା ରାଜକୁମାରଙ୍କର ବିବାହ ଭୋଜି ଆୟୋଜନ କଲେ। 3 ନିମନ୍ତ୍ରିତ ବ୍ୟକ୍ତିମାନଙ୍କୁ ଭୋଜିକୁ ଡ଼ାକି ଆଣିବା ପାଇଁ ସେ ଚାକରମାନଙ୍କୁ ପଠାଇଲେ। କିନ୍ତୁ ସେହି ବ୍ୟକ୍ତିମାନେ ଆସିବାକୁ ଚାହିଁଲେ ନାହିଁ। 4 ରାଜା ପୁନର୍ବାର ଅନ୍ୟ ଚାକରମାନଙ୍କ ଦ୍ୱାରା ଏହି ସନ୍ଦେଶ ପଠାଇଲେ, ‘ବିବାହ ଭୋଜି ପ୍ରସ୍ତୁତ, ହୃଷ୍ଟ ପୁଷ୍ଟ ବଳଦ ଓ ବାଛୁରୀ କଟାଯାଇ ସବୁ ଆୟୋଜିତ ହୋଇଛି, ଭୋଜିକୁ ଶୀଘ୍ର ଆସନ୍ତୁ।’ 5 କିନ୍ତୁ ନିମନ୍ତ୍ରିତ ବ୍ୟକ୍ତିମାନେ ଏ କଥାକୁ ଭ୍ରୂକ୍ଷେପ ନ କରି ନିଜ ନିଜ କାର୍ଯ୍ୟ କରିବାରେ ଲାଗିଲେ - ଜଣେ ତା’ର କ୍ଷେତକୁ ଗଲା, ଆଉ ଜଣେ ଦୋକାନକୁ ଗଲା ଓ 6 ଆଉ କେତେ ଜଣ ରାଜାଙ୍କର ଚାକରମାନଙ୍କୁ ଧରି ବାଡ଼େଇ ବାଡ଼େଇ ମାରିଦେଲେ। 7 ରାଜା କ୍ରୋଧରେ ଜର୍ଜରିତ ହୋଇ ସୈନ୍ୟମାନଙ୍କୁ ପଠାଇଲେ। ସେମାନେ ସେହି ନରହନ୍ତାମାନଙ୍କୁ ବଧ କରି ସେମାନଙ୍କ ସହରକୁ ପୋଡ଼ି ପକାଇଲେ। 8 ତା’ପରେ ରାଜା ଚାକରମାନଙ୍କୁ ଡ଼ାକି କହିଲେ, ‘ବିବାହ ଭୋଜି ପ୍ରସ୍ତୁତ, କିନ୍ତୁ ମୁଁ ନିମନ୍ତ୍ରଣ କରିଥିବା ଲୋକମାନେ ଏହାର ଅଯୋଗ୍ୟ।’ 9 “‘ଏବେ ପ୍ରଧାନ ପ୍ରଧାନ ସାହିମାନଙ୍କୁ ଯାଇ ଯେତେ ଲୋକଙ୍କୁ ପାଇବ, ସମସ୍ତଙ୍କୁ ଆମ ଭୋଜିକୁ ନିମନ୍ତ୍ରଣ କରି ଆଣ।’ 10 ତେଣୁ ଚାକରମାନେ ସାହିକୁ ସାହି ବୁଲି ଭଲ ହେଉ, ମନ୍ଦ ହେଉ; ଯେତେ ଲୋକଙ୍କୁ ପାଇଲେ, ସମସ୍ତଙ୍କୁ ଡ଼ାକି ଆଣିଲେ ଏବଂ ବିବାହ ଗୃହଟି ଲୋକାରଣ୍ୟ ହେଲା। 11 “ରାଜା ଅତିଥିମାନଙ୍କୁ ଦେଖିବାକୁ ଆସିଲେ। ସେ ଦେଖିଲେ, ସେମାନଙ୍କ ମଧ୍ୟରୁ ଜଣେ ବିବାହ ଉତ୍ସବର ପୋଷାକ ପିନ୍ଧି ନାହିଁ। 12 ରାଜା ତାକୁ ପଚାରିଲେ, ‘ବନ୍ଧୁ, ବାହାଘର ପୋଷାକ ନ ପିନ୍ଧି ଏଠାକୁ ଆସିଲ କିପରି?’ ଲୋକଟି ନିରୁତ୍ତର ରହିଲା। 13 ରାଜା ଚାକରମାନଙ୍କୁ କହିଲେ, ‘ତା’ର ହାତ ପାଦ ବାନ୍ଧ ବାହାରେ ପକାଇ ଦିଅ। ସେଠାରେ ସେ କ୍ରନ୍ଦନ କରି ଦାନ୍ତ ରଗଡ଼ିବ’।” 14 ଗଳ୍ପ ଶେଷ କରି ଯୀଶୁ କହିଲେ, “ଅନେକେ ନିମନ୍ତ୍ରିତ, କିନ୍ତୁ ଅଳ୍ପ କେତେକ ମନୋନୀତ।” କର ଦେବା ସମସ୍ୟା ( ମାର୍କ ୧୨:୧୩-୧୭ ; ଲୂକ ୨୦:୨୦-୨୬ ) 15 କେତେ ଜଣ ଫାରୁଶୀ ଯୀଶୁଙ୍କୁ ପ୍ରଶ୍ନ ପଚାରି ତାଙ୍କୁ ଫାନ୍ଦରେ ପକାଇବା ପାଇଁ ଉପାୟ ପାଞ୍ଚିଲେ। 16 ସେମାନେ ନିଜର କେତେ ଜଣ ଶିଷ୍ୟଙ୍କୁ ଓ ହେରୋଦ ପକ୍ଷର କେତେକ ଲୋକଙ୍କୁ ଯୀଶୁଙ୍କ ନିକଟକୁ ପଠାଇଲେ। ଏମାନେ ଆସି ଯୀଶୁଙ୍କୁ ପଚାରିଲେ, “ଗୁରୁ, ଆମେ ଜାଣୁ, ଆପଣ ସତ୍ୟ ଶିକ୍ଷା ଦେଇଛନ୍ତି। ଆପଣ ମନୁଷ୍ୟର ପଦମର୍ଯ୍ୟାଦାକୁ ଖାତିରି କରୁ ନ ଥିବାରୁ ଲୋକେ କଅଣ ଭାବିବେ, ଚିନ୍ତା ନ କରି ମନୁଷ୍ୟ ପାଇଁ ଈଶ୍ୱରଙ୍କର ସଂକଳ୍ପ ଯଥାର୍ଥ ଭାବରେ ବୁଝାଇ ପାରୁଛନ୍ତି। 17 ତେବେ କହନ୍ତୁ, ଏ ବିଷୟରେ ଆପଣଙ୍କର ମତ କଅଣ? ରୋମ୍ ସମ୍ରାଟଙ୍କୁ କର ଦେବା ଆମ ଧର୍ମଶାସ୍ତ୍ର ବ୍ୟବସ୍ଥା ଅନୁସାରେ ଉଚିତ୍ ନା ଅନୁଚିତ୍?” 18 କିନ୍ତୁ ଯୀଶୁ ସେମାନଙ୍କର କୂଟ ଉଦ୍ଦେଶ୍ୟ ଜାଣିଥିଲେ। ତେଣୁ ସେ କହିଲେ, “ଆହେ କପଟୀଗଣ, ମୋତେ ଫାନ୍ଦରେ ପକାଇବାକୁ କାହିଁକି ଚେଷ୍ଟା କରୁଛ? 19 ଯେଉଁ ମୁଦ୍ରାରେ କର ଦେଉଛ, ସେଥିରୁ ଗୋଟିଏ ଆଣି ମୋତେ ଦେଖାଅ। ସେମାନେ ଗୋଟିଏ ମୁଦ୍ରା ଆଣି ତାଙ୍କୁ ଦେଲେ। 20 ସେ ସେମାନଙ୍କୁ ପଚାରିଲେ, “ଏହି ମୁଦ୍ରା ଉପରେ କାହାର ନାମ ଓ ପ୍ରତିକୃତି ଅଙ୍କିତ ହୋଇଛି?” 21 ସେମାନେ ଉତ୍ତର ଦେଲେ, “ସମ୍ରାଟଙ୍କର”। ଯୀଶୁ ସେମାନଙ୍କୁ କହିଲେ, “ତେବେ ଯାହା ସମ୍ରାଟଙ୍କର, ତାହା ସମ୍ରାଟଙ୍କୁ ଦିଅ ଏବଂ ଯାହା ଈଶ୍ୱରଙ୍କର, ତାହ ଈଶ୍ୱରଙ୍କୁ ଦିଅ।” 22 ଏହା ଶୁଣି ସେମାନେ ବିମୂଢ଼ ହୋଇ ଚାଲିଗଲେ। ପୁନରୁତ୍ଥାନ ବିଷୟରେ ପ୍ରଶ୍ନ ( ମାର୍କ ୧୨:୧୮-୨୭ ; ଲୂକ ୨୦:୨୭-୪୦ ) 23 ସେଦିନ ସାଦ୍ଦୁକୀ ଦଳର କେତେ ଜଣ ଯୀଶୁଙ୍କ ନିକଟକୁ ଆସିଲେ। ସାଦ୍ଦୁକୀମାନେ ବିଶ୍ୱାସ କରୁଥିଲେ ଯେ, ଆଉ ପୁନରୁତ୍ଥାନ ନାହିଁ। 24 ସେମାନେ ଯୀଶୁଙ୍କୁ ପଚାରିଲେ, “ଗୁରୁ, ମୋଶା ବ୍ୟବସ୍ଥା କରି ଦେଇଛନ୍ତି ଯେ, ଯଦି ଜଣେ ଲୋକ ନିଃସନ୍ତାନ ହୋଇ ମରିଯାଏ, ତେବେ ତା’ ଭାଇ ତା’ ବିଧବା ପତ୍ନୀକୁ ବିବାହ କରିବ ଓ ସେମାନଙ୍କ ପିଲାମାନେ ସେହି ମୃତ ଲୋକର ସନ୍ତାନ ବୋଲି ବିବେଚିତ ହେବେ। 25 ଗୋଟିଏ କଥା ଶୁଣନ୍ତୁ। ଆମର ଏଠାରେ ସାତଜଣ ଭାଇ ଥିଲେ। ଜ୍ୟେଷ୍ଠ ଭାଇ ନିଃସନ୍ତାନ ହୋଇ ମରିଯିବାରୁ ତା’ର ଦ୍ୱିତୀୟ ଭାଇ ଭ୍ରାତୃ ପତ୍ନୀକୁ ବିବାହ କଲା। 26 କିନ୍ତୁ ଏହି ଦ୍ୱିତୀୟ, ତୃତୀୟ ଓ ପରିଶେଷରେ ସପ୍ତମ ଭାଇର ମଧ୍ୟ ଏକା ଦଶା ଘଟିଲା। 27 ଶେଷରେ ସେହି ସ୍ତ୍ରୀ ଲୋକଟି ମରିଗଲା। 28 ଯେଉଁ ଦିନ ମୃତ ବ୍ୟକ୍ତିମାନଙ୍କର ପୁନରୁତ୍ଥାନ ହେବ, ଏହି ସ୍ତ୍ରୀ ଲୋକଟି କାହାର ପତ୍ନୀ ବୋଲି ବିବେଚିତ ହେବ? ସମସ୍ତେ ତ ତାକୁ ବିବାହ କରିଥିଲେ।” 29 ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ କେଡ଼େ ଭ୍ରାନ୍ତ! ଶାସ୍ତ୍ର ବା ଈଶ୍ୱରଙ୍କ ଶକ୍ତି ବିଷୟରେ ତୁମ୍ଭମାନଙ୍କର ସଠିକ୍ ଧାରଣା ନ ଥିବାରୁ ଏକଥା ପଚାରୁଛ। 30 ପୁନରୁତ୍ଥାନ ପରେ ମୃତ ବ୍ୟକ୍ତିମାନେ ସ୍ୱର୍ଗଦୂତ ପରି ହେବେ। ସେମାନେ ବିବାହ କରିବେ ନାହିଁ। 31 ମୃତ ବ୍ୟକ୍ତିମାନେ ପୁନରୁତ୍ôଥତ ହେବା ବିଷୟରେ ଈଶ୍ୱର ଯାହା କହିଛନ୍ତି, ତୁମେ କ’ଣ ଶାସ୍ତ୍ରରେ କେବେ ପଢ଼ି ନାହଁ? 32 ଈଶ୍ୱର କହିଛନ୍ତି, ‘ଆମେ ଅବ୍ରାହାମ, ଇସ୍ହାକ ଓ ଯାକୁବର ଈଶ୍ୱର’।” “ ଈଶ୍ୱର ତ ଜୀବିତମାନଙ୍କର ଈଶ୍ୱର - ମୃତମାନଙ୍କର ହୋଇ ନ ପାରନ୍ତି’।” 33 ଲୋକମାନେ ଯୀଶୁଙ୍କର ଶିକ୍ଷା ଶୁଣି ବିସ୍ମିତ ହେଲେ। ଶ୍ରେଷ୍ଠ ଆଜ୍ଞା ( ମାର୍କ ୧୨:୨୮-୩୪ ; ଲୂକ ୧୦:୨୫-୨୮ ) 34 ଯେତେବେଳେ ଫାରୁଶୀମାନେ ଶୁଣିଲେ ଯେ ଯୀଶୁ ସାଦ୍ଦୁକୀମାନଙ୍କୁ ନିରୁତ୍ତର କରି ଦେଇଛନ୍ତି, ସେମାନେ ଏକାଠି ହୋଇ ଯୀଶୁଙ୍କ ପାଖକୁ ଆସିଲେ 35 ଏବଂ ସେମାନଙ୍କ ମଧ୍ୟରୁ ଜଣେ ଯୀଶୁଙ୍କୁ ଫାନ୍ଦରେ ପକାଇବା ପାଇଁ ଗୋଟିଏ ପ୍ରଶ୍ନ କଲା, 36 “ଗୁରୁ, ଆମ ଧର୍ମଶାସ୍ତ୍ର ବ୍ୟବସ୍ଥାରେ କେଉଁ ଆଜ୍ଞାଟି ସବୁଠାରୁ ଶ୍ରେଷ୍ଠ?” 37 ଯୀଶୁ କହିଲେ, “ତୁମ ପ୍ରଭୁ ଈଶ୍ୱରଙ୍କୁ ସମ୍ପୂର୍ଣ୍ଣ ହୃଦୟ, ସମ୍ପୂର୍ଣ୍ଣ ଆତ୍ମା ଓ ସମ୍ପୂର୍ଣ୍ଣ ମନ ଦେଇ ପ୍ରେମ ଭକ୍ତି କର। 38 ଏହା ହେଉଛି ସବୁଠାରୁ ବଡ଼ ଓ ଶ୍ରେଷ୍ଠ ଆଜ୍ଞା। 39 “ଦ୍ୱିତୀୟ ଶ୍ରେଷ୍ଠ ଆଜ୍ଞା ହେଉଛି, ତୁମ ପଡ଼ୋଶୀକୁ ଆତ୍ମତୁଲ୍ୟ ପ୍ରେମ କର। 40 ଏ ଦୁଇଟି ଆଜ୍ଞା ମୋଶାଙ୍କର ସମୁଦାୟ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଶିକ୍ଷାର ଆଧାର।” ମସୀହ ସଂକ୍ରାନ୍ତୀୟ ପ୍ରଶ୍ନ ( ମାର୍କ ୧୨:୩୫-୩୭ ; ଲୂକ ୨୦:୪୧-୪୪ ) 41 କେତେ ଜଣ ଫାରୁଶୀ ଯୀଶୁଙ୍କ ନିକଟରେ ଥିବାବେଳେ ଯୀଶୁ ସେମାନଙ୍କୁ ପଚାରିଲେ, 42 “ମସୀହଙ୍କ ସମ୍ବନ୍ଧରେ ତୁମେ କଅଣ ଭାବୁଛ? ସେ କାହାର ବଂଶଧର?” ସେମାନେ ଉତ୍ତର ଦେଲେ, “ସେ ଦାଉଦଙ୍କର।” 43 ଯୀଶୁ ପଚାରିଲେ, “ତାହାହେଲେ ଦାଉଦ ମସୀହଙ୍କୁ ‘ମୋର ପ୍ରଭୁ’ ବୋଲି କାହିଁକି ଉଲ୍ଲେଖ କରିଛନ୍ତି? ପରମାତ୍ମାଙ୍କ ପ୍ରେରଣାରେ ସେ ଲେଖିଛନ୍ତି, 44 ‘ଈଶ୍ୱର ମୋହର ପ୍ରଭୁଙ୍କୁ କହିଲେ, ଆମେ ତୁମ ଶତ୍ରୁମାନଙ୍କୁ ତୁମ ପଦାନତ କରିବା ପର୍ଯ୍ୟନ୍ତ ତୁମେ ଆମର ଦକ୍ଷିଣ ପାଶ୍ୱର୍ରେ ବସ।’ 45 “ଯଦି ଦାଉଦ ମସୀହଙ୍କୁ ପ୍ରଭୁ ବୋଲି ସମ୍ବୋଧନ କରିଛନ୍ତି, ତେବେ ମସୀହ କିପରି ତାଙ୍କର ବଂଶଧର ହୋଇ ପାରିବେ?” 46 ଯୀଶୁଙ୍କୁ କେହି ଏହାର ଉତ୍ତର ଦେଇ ପାରିଲେ ନାହିଁ। ସେହି ଦିନଠାରୁ ତାଙ୍କୁ ଆଉ କୌଣସି ପ୍ରଶ୍ନ ପଚାରିବାକୁ କେହି ସାହସ କଲେ ନାହିଁ। |
Odia (CL) NT - ପବିତ୍ର ବାଇବଲ
© The Bible Society of India, 2018.
Used by permission. All rights reserved worldwide.
Bible Society of India