Online Bible

- Reklamy -


ଲୂକ ଲିଖିତ ସୁସମାଚାର 2 - ପବିତ୍ର ବାଇବଲ (CL) NT (BSI)


ଯୀଶୁଙ୍କ ଜନ୍ମ
( ମାଥିଉ ୧:୧୮-୨୫ )

1 ସେହି ସମୟରେ ସମଗ୍ର ରୋମ ରାଜ୍ୟରେ ଜନଗଣନା କରିବା ପାଇଁ ସମ୍ରାଟ ଅଗଷ୍ଟସ୍ ଆଦେଶ ଜାରି କଲେ।

2 କ୍ୱିରିନିୟସ୍ ସିରିଆର ରାଜ୍ୟପାଳ ଥିବା ସମୟରେ ପ୍ରଥମ ଥର ଏହି ଜନଗଣନା ହୋଇଥିଲା।

3 ପ୍ରତ୍ୟେକେ ନିଜର ନାମ ତାଲିକାଭୁକ୍ତ କରିବା ପାଇଁ ପୈତୃକ ସହରକୁ ଗଲେ।

4 ଯୋସେଫ ରାଜା ଦାଉଦଙ୍କ ବଂଶଧର ଥିôବାରୁ ଗାଲିଲୀର ନାଜରିତ ସହରରୁ ଦାଉଦଙ୍କ ଜନ୍ମ ସ୍ଥାନ ଯିହୂଦାର ବେଥଲିହିମ ସହରକୁ ଗଲେ।

5 ସେ ତାଙ୍କର ବାଗ୍ଦତ୍ତା ମରିୟମଙ୍କ ସହିତ ନାମ ଲେଖାଇବା ପାଇଁ ଗଲେ। ମରିୟମ ଗର୍ଭବତୀ ଥିଲେ

6 ଓ ସେମାନେ ବେଥଲିହିମରେ ଥିବା ସମୟରେ ତାଙ୍କର ପ୍ରସବ କାଳ ଉପସ୍ଥିତ ହେଲା।

7 ସେ ଏକ ପୁତ୍ର ସନ୍ତାନ ପ୍ରସବ କଲେ ଓ ତାଙ୍କୁ ଲୁଗାରେ ଗୁଡ଼ାଇ ଗୁହାଳ କୁଣ୍ଡରେ ଶୁଆଇଲେ। କାରଣ ପାନ୍ଥଶାଳାରେ ସେମାନଙ୍କ ରହିବା ନିମନ୍ତେ ସ୍ଥାନ ନ ଥିଲା।


ମେଷପାଳକ ଓ ସ୍ୱର୍ଗଦୂତଗଣ

8 ଦେଶର ସେହି ଅଞ୍ଚଳରେ କେତେକ ମେଷପାଳକ ମେଷ ଜଗିବା ପାଇଁ ପ୍ରାନ୍ତରରେ ରାତ୍ରିକ୍ଷେପଣ କରୁଥିଲେ।

9 ସେତେବେଳେ ପ୍ରଭୁଙ୍କର ଜଣେ ସ୍ୱର୍ଗଦୂତ ସେମାନଙ୍କୁ ଦର୍ଶନ ଦେଲେ ଏବଂ ସେମାନଙ୍କ ଉପରେ ପ୍ରଭୁ୍ଙ୍କ ମହିମା ପ୍ରକାଶିତ ହେଲା। ସେମାନେ ଅତିଶୟ ଭୟଭୀତ ହେଲେ।

10 କିନ୍ତୁ ସ୍ୱର୍ଗଦୂତ ସେମାନଙ୍କୁ କହିଲେ, “ଭୟ କର ନାହିଁ! ମୁଁ ତୁମ୍ଭମାନଙ୍କ ନିମନ୍ତେ ଶୁଭବାର୍ତ୍ତା ନେଇ ଏଠାକୁ ଆସିଛି। ତାହା ସମସ୍ତଙ୍କର ଆନନ୍ଦଦାୟକ ହେବ।

11 “ଆଜି ଦାଉଦଙ୍କ ସହରରେ ତୁମ୍ଭମାନଙ୍କର ପରିତ୍ରାଣକର୍ତ୍ତା ଜନ୍ମ ହୋଇଛନ୍ତି - ସେ ଖ୍ରୀଷ୍ଟ ପ୍ରଭୁ!

12 “ତୁମ୍ଭେମାନେ ଏହି ସଙ୍କେତ ଦେଖି ତାଙ୍କୁ ଚିହ୍ନିବ:- “ଶିଶୁଟିଏ ଲୁଗାରେ ଗୁଡ଼ା ହୋଇ ଗୋଟିଏ ଗୁହାଳ କୁଣ୍ଡରେ ଶୋଇ ଥିବାର ଦେଖିବ।”

13 ହଠାତ୍ ସ୍ୱର୍ଗର ଅସଂଖ୍ୟ ଦୂତବାହିନୀ ସେହି ଦୂତଙ୍କ ସହିତ ଆବିର୍ଭୂତ ହୋଇ ଈଶ୍ୱରଙ୍କ ପ୍ରଶଂସା କରି ଗାୟନ କଲେ:

14 “ସର୍ବୋଚ୍ଚ ସ୍ୱର୍ଗରେ ଈଶ୍ୱରଙ୍କ ମହିମା; ପୃଥିବୀରେ ଯେଉଁମାନେ ତାଙ୍କର ପ୍ରୀତିଭାଜନ, ସେମାନଙ୍କ ମନରେ ଶାନ୍ତି।”

15 ସ୍ୱର୍ଗଦୂତମାନେ ସେମାନଙ୍କଠାରୁ ଚାଲିଯିବା ପରେ ମେଷପାଳକମାନେ ପରସ୍ପରକୁ କହିଲେ, “ଚାଲ, ଆମେ ବେଥଲିହିମକୁ ଯିବା ଏବଂ ଯାହା ଘଟିଛି ବୋଲି ପ୍ରଭୁ କହିଛନ୍ତି, ତାହା ଦେଖି ଆସିବା।”

16 ସେମାନେ ଶୀଘ୍ର ଯାଇ ମରିୟମ, ଯୋସେଫ ଏବଂ ଗୁହାଳ କୁଣ୍ଡରେ ଶୋଇଥିବା ଶିଶୁଟିକୁ ଦେଖିଲେ।

17 ସ୍ୱର୍ଗଦୂତମାନେ ସେହି ଶିଶୁ ସମ୍ବନ୍ଧରେ ଯାହା କହିଥିଲେ, ମେଷପାଳକମାନେ ତାହା ସବୁ ସେମାନଙ୍କୁ ଜଣାଇଲେ।

18 ମେଷପାଳକମାନଙ୍କ କଥା ଶୁଣି ସମସ୍ତେ ଆଚମ୍ବିତ ହେଲେ।

19 ଏ ସମସ୍ତ ଘଟଣା ମରିୟମଙ୍କ ମନରେ ଚିରଦିନ ସ୍ମରଣୀୟ ହୋଇ ରହିଲା ଏବଂ ଏ ସମ୍ପର୍କରେ ସେ ଗଭୀର ଚିନ୍ତାମଗ୍ନ ହୋଇ ରହିଲେ।

20 ମେଷପାଳକମାନେ ଯାହା ସବୁ ଶୁଣିଥିଲେ ଓ ଦେଖିଥିଲେ, ସେ ସମସ୍ତ ବିଷୟ ପାଇଁ ଈଶ୍ୱରଙ୍କ ପ୍ରଶଂସା କରୁ କରୁ ବାହୁଡ଼ି ଗଲେ। ଦୂତଙ୍କ କହିବା ଅନୁଯାୟୀ ଠିକ୍ ସବୁ ଘଟିଯାଇଛି ବୋଲି ସେମାନେ ଜାଣିଲେ।


ଯୀଶୁଙ୍କ ନାମକରଣ

21 ଏକ ସପ୍ତାହ ପରେ ଶିଶୁର ସୁନ୍ନତ ହେବା ସମୟରେ ତାଙ୍କର ନାମ ଯୀଶୁ ଦିଆଗଲା। ସେ ର୍ଗଭସ୍ଥ ହେବା ପୂର୍ବରୁ ସ୍ୱର୍ଗଦୂତଙ୍କ ଦ୍ୱାରା ତାଙ୍କର ଏହି ନାମକରଣ ହୋଇଥିଲା।


ମନ୍ଦିରରେ ଯୀଶୁଙ୍କୁ ଉତ୍ସର୍ଗ କରାହେଲା

22 ପରେ ଯେତେବେଳେ ମୋଶାଙ୍କ ବ୍ୟବସ୍ଥା ଅନୁଯାୟୀ, ଯୋସେଫ ଓ ମରିୟମଙ୍କର ଶୁଦ୍ଧି ହେବା ସମୟ ଉପସ୍ଥିତ ହେଲା, ସେମାନେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଶିଶୁକୁ ଉତ୍ସର୍ଗ କରିବା ପାଇଁ ଯିରୂଶାଲମକୁ ନେଲେ,

23 ମୋଶାଙ୍କ ବ୍ୟବସ୍ଥାରେ ଲେଖାଅଛି: “ପ୍ରଥମ ଜାତ ପ୍ରତ୍ୟେକ ପୁରୁଷ ସନ୍ତାନ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହେବ।”

24 ପୁଣି ସେହି ବ୍ୟବସ୍ଥା ଅନୁଯାୟୀ ସେମାନଙ୍କୁ ଦୁଇଟି କାପ୍ତା ବା ଦୁଇଟି ପାରା ବଳି ଉତ୍ସର୍ଗ କରିବାକୁ ପଡ଼ିଲା।

25 ସେତେବେଳେ ଯିରୁଶାଲମରେ ଶିମିୟୋନ୍ ନାମକ ଜଣେ ଧାର୍ମିକ ଓ ଭକ୍ତ ବାସ କରୁଥିଲେ। ସେ ଇଶ୍ରାୟେଲ ଜାତିର ମୁକ୍ତି ସାଧନ ସମୟକୁ ଅପେକ୍ଷା କରୁଥିଲେ। ତାଙ୍କଠାରେ ପବିତ୍ର ଆତ୍ମା ଅଧିଷ୍ଠାନ କରିଥିଲେ।

26 ପ୍ରଭୁଙ୍କ ପ୍ରତିଶ୍ରୁତି ଅନୁସାରେ ମସୀହଙ୍କ ଆବିର୍ଭାବ ପର୍ଯ୍ୟନ୍ତ ସେ ମୃତ୍ୟୁବରଣ କରିବେ ନାହିଁ ବୋଲି ପବିତ୍ର ଆତ୍ମାଙ୍କଠାରୁ ନିଶ୍ଚିତ ଭରସା ପାଇଥିଲେ।

27 ପବିତ୍ର ଆତ୍ମାଙ୍କ ଦ୍ୱାରା ପରିଚାଳିତ ହୋଇ ଶିମିୟୋନ୍ ମନ୍ଦିରକୁ ଗଲେ। ବ୍ୟବସ୍ଥା ଅନୁଯାୟୀ ଯାହା ଆବଶ୍ୟକ, ତାହା କରିବା ପାଇଁ ପିତାମାତା ଯେତେବେଳେ ଶିଶୁ ଯୀଶୁଙ୍କୁ ମନ୍ଦିର ଭିତରକୁ ଆଣିଲେ,

28 ଶିମିୟୋନ୍ ଶିଶୁଙ୍କୁ କୋଳ କରି ଈଶ୍ୱରଙ୍କୁ ଧନ୍ୟବାଦ ଦେଇ କହିଲେ:

29 “ପ୍ରଭୁ, ତୁମେ ତୁମର ପ୍ରତିଜ୍ଞା ସଫଳ କରିଛ, ଏବେ ତୁମ ଦାସକୁ ଶାନ୍ତିରେ ବିଦାୟ ନେବାକୁ ଅନୁମତି ଦିଅ।

30 ମୁଁ ସ୍ୱଚକ୍ଷୁରେ ତୁମ ପ୍ରଦତ୍ତ ପରିତ୍ରାଣ ଦେଖିଛି,

31 ଯାହା ତୁମେ ସମସ୍ତ ଜାତିର ଲୋକମାନଙ୍କ ସମ୍ମୁଖରେ ସାଧନ କରିଛ:

32 ଏକ ଜ୍ୟୋତି ପ୍ରଦାନ କରିଛ ଅଣଇହୁଦୀମାନଙ୍କ ନିକଟରେ ତୁମ ଇଚ୍ଛା ପ୍ରକାଶ କରିବା ପାଇଁ ଏବଂ ତୁମର ଇଶ୍ରାୟେଲୀୟ ଲୋକମାନଙ୍କୁ ଗୌରବାନ୍ୱିତ କରିବା ପାଇଁ।”

33 ଶିଶୁଙ୍କ ବିଷୟରେ ଶିମିୟୋନ୍ ଯାହା କହିଲେ, ତାଙ୍କର ପିତାମାତା ସେଥିରେ ଆଶ୍ଚର୍ଯ୍ୟ ହେଲେ।

34 ଶିମିୟୋନ୍ ସେମାନଙ୍କୁ ଆଶୀର୍ବାଦ କରି ଶିଶୁର ମାତା ମରିୟମଙ୍କୁ କହିଲେ, “ଇଶ୍ରାୟେଲୀୟମାନଙ୍କ ମଧ୍ୟରୁ ଅନେକେ ବିନାଶ ପୁଣି ଅନେକଙ୍କ ପରିତ୍ରାଣ ନିମନ୍ତେ ଈଶ୍ୱରଙ୍କ ଦ୍ୱାରା ଏହି ଶିଶୁ ମନୋନୀତ ହୋଇଛନ୍ତି। ସେ ଈଶ୍ୱରଙ୍କଠାରୁ ଏକ ସଙ୍କେତ ସ୍ୱରୂପ ହେବେ।

35 ଅନେକେ ତାଙ୍କୁ ବିରୋଧ କରି ନିଜ ହୃଦୟର ଗୁପ୍ତ ଚିନ୍ତା ସବୁ ପ୍ରକାଶ କରିବେ। ଦୁଃଖରୂପ ଏକ ତୀକ୍ଷ୍ଣ ଖଡ୍ଗ ତୁମ ନିଜ ହୃଦୟକୁ ବିଦୀର୍ଣ୍ଣ କରିବ।”

36 ଆଶେର୍ ବଂଶଜାତ ଫିନୁଏଲଙ୍କ କନ୍ୟା ହାନ୍ନା ନାମ୍ନୀ ଜଣେ ୮୪ ବର୍ଷ ବୟସ୍କା ବୃଦ୍ଧା ଥିଲେ। ସେ ଜଣେ ଭାବବାଦିନୀ ଥିଲେ। ବିବାହର ମାତ୍ର ସାତ ବର୍ଷ ପରେ ସେ ବିଧବା ହୋଇଥିଲେ।

37 ସେ ଆଦୌ ମନ୍ଦିର ଛାଡ଼ି ବାହାରକୁ ଯାଉ ନ ଥିଲେ, ଉପବାସ ଓ ପ୍ରାର୍ଥନା ସହ ଦିବାରାତ୍ରି ସେ ଈଶ୍ୱରଙ୍କ ଉପାସନା କରୁଥିଲେ।

38 ଶିଶୁ ଯୀଶୁ ମନ୍ଦିରରେ ଉତ୍ସର୍ଗୀକୃତ ହେବାବେଳେ ହାନ୍ନା ସେଠାରେ ପହଞ୍ôଚ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ ଏବଂ ଈଶ୍ୱର ଯିରୂଶାଲମକୁ ଉଦ୍ଧାର କରିବେ ବୋଲି ଯେଉଁମାନେ ବିଶ୍ୱାସ କରି ଅପେକ୍ଷା କରୁଥିଲେ, ସେ ସମସ୍ତଙ୍କୁ ଶିଶୁଙ୍କ ବିଷୟରେ କହିଲେ।


ନାଜରିତକୁ ପ୍ରତ୍ୟାବର୍ତ୍ତନ

39 ପ୍ରଭୁଙ୍କ ବ୍ୟବସ୍ଥା ଅନୁଯାୟୀ ଯାହା ଆବଶ୍ୟକ ଥିଲା, ସେ ସମସ୍ତ ଶେଷ ହେବା ପରେ ଯୋସେଫ ଓ ମରିୟମ ନିଜର ବାସସ୍ଥାନ ଗାଲିଲୀର ନାଜରିତ ସହରକୁ ଫେରିଗଲେ।

40 ଶିଶୁ ବଳିଷ୍ଠ ହୋଇ ବଢ଼ିବାକୁ ଲାଗିଲେ, ସେ ଜ୍ଞାନରେ ପୂର୍ଣ୍ଣ ହେଲେ ଏବଂ ତାଙ୍କ ଉପରେ ଈଶ୍ୱରଙ୍କ ଆଶୀର୍ବାଦ ଥିଲା।


ମନ୍ଦିରରେ ବାଳକ ଯୀଶୁ

41 ନିସ୍ତାର ପର୍ବ ପାଳନ ନିମନ୍ତେ ପ୍ରତି ବର୍ଷ ଯୀଶୁଙ୍କ ପିତାମାତା ଯିରୂଶାଲମକୁ ଯାଉଥିଲେ।

42 ଯୀଶୁଙ୍କୁ ବାର ବର୍ଷ ହେଇଥିବା ସମୟରେ ରୀତି ଅନୁସାରେ ସେମାନେ ପର୍ବ ପାଳନ ପାଇଁ ଗଲେ।

43 ପର୍ବ ଶେଷରେ ସେମାନେ ଘରକୁ ଫେରିବାବେଳେ ବାଳକ ଯୀଶୁ ଯିରୂଶାଲମରେ ରହିଗଲେ। ତାଙ୍କର ପିତାମାତା ଏହା ଜାଣି ନ ଥିଲେ;

44 ସେମାନେ ଭାବିଲେ, ସେ ଅନ୍ୟ ଯାତ୍ରୀମାନଙ୍କ ସଙ୍ଗରେ ଅଛନ୍ତି; ତେଣୁ ସେମାନେ ଦିନକର ବାଟ ଚାଲି ଆସିବା ପରେ ଆତ୍ମୀୟ ଓ ବନ୍ଧୁମାନଙ୍କ ମଧ୍ୟରେ ତାଙ୍କୁ ଖୋଜିଲେ।

45 କିନ୍ତୁ ତାଙ୍କୁ ନ ପାଇ ସେମାନେ ଖୋଜି ଖୋଜି ଯିରୂଶାଲମକୁ ଆସିଲେ।

46 ତୃତୀୟ ଦିନରେ ସେମାନେ ଦେଖିଲେ ଯେ ଯୀଶୁ ମନ୍ଦିରରେ ଇହୁଦୀ ଧର୍ମଗୁରୁମାନଙ୍କ ସହିତ ବସି ସେମାନଙ୍କ କଥା ଶୁଣୁଛନ୍ତି ଓ ସେମାନଙ୍କୁ ପ୍ରଶ୍ନ ପଚାରୁଛନ୍ତି।

47 ଯେଉଁମାନେ ତାଙ୍କ କଥା ଶୁଣୁଥିଲେ, ସେମାନେ ତାଙ୍କର ବିଚକ୍ଷଣ କଥା ଶୁଣି ଅବାକ୍ ହେଉଥିଲେ।

48 ତାଙ୍କୁ ଦେଖି ତାଙ୍କର ପିତାମାତା ଆଶ୍ଚର୍ଯ୍ୟ ହେଲେ ଓ ତାଙ୍କର ମା’ ତାଙ୍କୁ ପଚାରିଲେ, “ପୁଅରେ, ତୁ ଆମ ପ୍ରତି କାହିଁକି ଏପରି ବ୍ୟବହାର କଲୁ? ତୋତେ ଖୋଜି ଖୋଜି ତୋର ବାପା ଓ ମୁଁ ବଡ଼ ବ୍ୟସ୍ତ ହୋଇ ପଡ଼ିଛୁ।”

49 ସେ ସେମାନଙ୍କୁ ଉତ୍ତର ଦେଲେ, “ତୁମେ କାହିଁକି ମୋତେ ଖୋଜିଲ? ପିତାଙ୍କ ଗୃହରେ ମୋର ରହିବା ଆବଶ୍ୟକ ବୋଲି ତୁମେ କ’ଣ ଜାଣି ନାହଁ?”

50 କିନ୍ତୁ ସେମାନେ ତାଙ୍କ ଉତ୍ତରର ଅର୍ଥ ବୁଝି ପାରିଲେ ନାହିଁ।

51 ଯୀଶୁ ସେମାନଙ୍କ ସଙ୍ଗେ ନାଜରିତକୁ ଫେରିଗଲେ ଓ ସେମାନଙ୍କର ବାଧ୍ୟ ହୋଇ ରହିଲେ। ତାଙ୍କର ମା’ ଏସବୁ ବିଷୟ ହୃଦୟରେ ସଞ୍ଚିତ କରି ରଖିଲେ।

52 ଈଶ୍ୱର ଓ ମନୁଷ୍ୟମାନଙ୍କ ଅନୁଗ୍ରହ ଲାଭ କରି ଯୀଶୁ ଶରୀର ଓ ଜ୍ଞାନରେ ବୃଦ୍ଧି ପାଇଲେ।

Odia (CL) NT - ପବିତ୍ର ବାଇବଲ

© The Bible Society of India, 2018.

Used by permission. All rights reserved worldwide.

Bible Society of India
Následuj nás:



Reklamy