Online Bible

- Reklamy -

୧ କରିନ୍ଥୀୟ 16 - ପବିତ୍ର ବାଇବଲ (CL) NT (BSI)


ଅର୍ଥ ସାହାଯ୍ୟ ପାଇଁ ଆବେଦନ

1 ଯିହୁଦାରେ ଥିବା ମଣ୍ଡଳୀସ୍ଥ ବିଶ୍ୱାସୀମାନଙ୍କ ପାଇଁ ଅର୍ଥ ସାହାଯ୍ୟ ଦେବା ବିଷୟରେ ମୋର ମତାମତ:- ମୁଁ ଗାଲାତୀୟ ମଣ୍ଡଳୀକୁ ଯାହା କରିବାକୁ ନିର୍ଦ୍ଦେଶ ଦେଇଛି, ତାହା ଦୃଢ଼ ଭାବରେ ପାଳନ କର।

2 ତୁମ ଆୟ ଅନୁପାତରେ ପ୍ରତ୍ୟେକ ରବିବାର ଏ ବାବଦକୁ କିଛି ଅର୍ଥ ସଞ୍ଚୟ କରି ରଖ। ତାହାହେଲେ, ମୁଁ ଗଲାବେଳେ ତୁମ୍ଭମାନଙ୍କୁ ଆଉ ଅର୍ଥ ସଂଗ୍ରହ କରିବାକୁ ପଡ଼ିବ ନାହିଁ।

3 ମୁଁ ଆସି ତୁମେ ଉପଯୁକ୍ତ ମନେ କରୁଥିବା ଲୋକମାନଙ୍କୁ ପରିଚୟ ପତ୍ର ଦେବି ଓ ସେମାନେ ତୁମର ଦାନ ସହ ଯିରୂଶାଲମକୁ ଯିବେ।

4 କିନ୍ତୁ ମୋର ଯିବା ଆବଶ୍ୟକ ହେଲେ, ସେମାନେ ମୋ’ ସହିତ ଯାଇ ପାରିବେ।


ପାଉଲଙ୍କ ଯୋଜନା

5 ମୁଁ ମାସିଦୋନିଆ ପରିଭ୍ରମଣରେ ଯାଉଛି। ଭ୍ରମଣ ଶେଷ କରି ମୁଁ ତୁମ୍ଭମାନଙ୍କ ନିକଟକୁ ଫେରି ଆସିବି।

6 ମୁଁ ବୋଧହୁଏ, ତୁମ୍ଭମାନଙ୍କ ସହିତ କିଛି ଦିନ ରହିବି, ହୁଏତ ଶୀତ କାଳ କଟାଇବି। ତା’ପରେ ଯେଉଁଠିକୁ ଯିବା ପାଇଁ ଚାହିଁବି, ତୁମ୍ଭେମାନେ ମୋତେ ସେଠାକୁ ଯିବା ପାଇଁ ସାହାଯ୍ୟ କରି ପାରିବ।

7 କାରଣ ଯିବା ବାଟରେ ତୁମ୍ଭମାନଙ୍କ ସହିତ କେବଳ ଅଳ୍ପ ସମୟ ସାକ୍ଷାତ କରିବା ମୋର ଇଚ୍ଛା ନୁହେଁ। ମୁଁ ଆଶା କରୁଛି, ପ୍ରଭୁଙ୍କ ଇଚ୍ଛା ହେଲେ, ମୁଁ ତୁମ୍ଭମାନଙ୍କ ସହିତ ଏଥର ଅନେକ ସମୟ ରହିବି।

8 କିନ୍ତୁ ପେଣ୍ଟିକଷ୍ଟ ଦିନ ପର୍ଯ୍ୟନ୍ତ ମୁଁ ଏଠାରେ ଏଫିଶୀରେ ରହିବି।

9 ଏଠାରେ ମୋ’ ବିପକ୍ଷରେ ଅନେକ ଲୋକ ଥିଲେ ସୁଦ୍ଧା, ଫଳପ୍ରଦ କାର୍ଯ୍ୟ କରିବାକୁ ମୋ’ ପାଇଁ ପ୍ରଶସ୍ତ ଦ୍ୱାର ଉନ୍ମୁକ୍ତ ଅଛି।

10 ତୀମଥି ତୁମ୍ଭମାନଙ୍କ ନିକଟକୁ ଆସିଲେ, ତାଙ୍କୁ ସ୍ୱାଗତ କର। କାରଣ ସେ ମଧ୍ୟ ମୋ’ ପରି ପ୍ରଭୁଙ୍କର କାର୍ଯ୍ୟ କରୁଛନ୍ତି।

11 କେହି ତାଙ୍କୁ ତୁଚ୍ଛ ଜ୍ଞାନ ନ କରନ୍ତୁ। ଶାନ୍ତିରେ ଯାତ୍ରା କରିବା ପାଇଁ ତୁମ୍ଭେମାନେ ତାଙ୍କୁ ନିଶ୍ଚୟ ସାହାଯ୍ୟ କରିବ। ତାହାହେଲେ, ସେ ଭାଇମାନଙ୍କ ସହିତ ମୋ’ ନିକଟକୁ ଫେରି ଆସିବେ। ସେମାନଙ୍କ ଅପେକ୍ଷାରେ ମୁଁ ରହିଛି।

12 ଭାଇ ଆପୋଲଙ୍କ ସମ୍ପର୍କରେ କହୁଅଛି ଯେ, ଅନ୍ୟ ଭାଇମାନଙ୍କ ସହିତ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ତାଙ୍କୁ ବହୁବାର ଉତ୍ସାହିତ କରିଅଛି। କିନ୍ତୁ ବର୍ତ୍ତମାନ ଯିବା ପାଇଁ ସେ କୌଣସି ପ୍ରକାରେ ରାଜି ନୁହନ୍ତି। ପରେ ସୁଯୋଗ ପାଇଲେ, ସେ ନିଶ୍ଚୟ ତୁମ୍ଭମାନଙ୍କ ପାଖକୁ ଯିବେ।


ଶେଷ କଥା

13 ତୁମ୍ଭେମାନେ ଜାଗି ରୁହ, ବିଶ୍ୱାସରେ ଦୃଢ଼ ହୁଅ, ସାହସୀ ଏବଂ ବଳବାନ ହୁଅ।

14 ତୁମର ସବୁ କାର୍ଯ୍ୟ ପ୍ରେମରେ ସାଧିତ ହେଉ।

15 ତୁମ୍ଭେମାନେ ସ୍ତିଫାନା ଓ ତାଙ୍କ ପରିବାର ବିଷୟ ଜାଣ। ସେମାନେ ଆଖାୟାର ପ୍ରଥମ ଖ୍ରୀଷ୍ଟିୟାନ। ସେମାନେ ଈଶ୍ୱରଙ୍କ ଲୋକମାନଙ୍କ ସେବାରେ ନିଜକୁ ସମର୍ପଣ କରି ଦେଇଛନ୍ତି। ଭାଇମାନେ; ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଛି,

16 ତୁମ୍ଭେମାନେ ଏମାନଙ୍କର ଏବଂ ଏମାନଙ୍କ ସହିତ କାର୍ଯ୍ୟ ଓ ସେବା କରୁଥିବା ଲୋକମାନଙ୍କର ଅନୁଗତ ହୁଅ।

17 ସ୍ତିଫାନା, ଫର୍ତୁନାତ ଓ ଆଖାୟିକ ଏଠାକୁ ଆସିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ। ତୁମ୍ଭମାନଙ୍କ ଅନୁପସ୍ଥିତିରେ ସେମାନେ ତୁମ୍ଭମାନଙ୍କ ସ୍ଥାନ ପୂରଣ କରିଛନ୍ତି।

18 ସେମାନେ ତୁମ୍ଭମାନଙ୍କୁ ଓ ମୋତେ ଉତ୍ଫୁଲ୍ଲ କରିଛନ୍ତି। ଏଭଳି ଲୋକମାନେ ସମ୍ମାନର ପାତ୍ର।

19 ଆସିଆ ଦେଶର ମଣ୍ଡଳୀଗୁଡ଼ିକ ତୁମ୍ଭମାନଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ଆକ୍ୱିଲା, ପ୍ରିସ୍କିଲା ଓ ସେମାନଙ୍କ ଘରେ ଉପାସନା କରୁଥିବା ମଣ୍ଡଳୀ, ପ୍ରଭୁଙ୍କ ନାମରେ ତୁମ୍ଭମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଉଛନ୍ତି।

20 ଏଠିକାର ଭାଇମାନେ ସମସ୍ତେ ନମସ୍କାର ଜଣାଉଛନ୍ତି। ତୁମ୍ଭେମାନେ ପବିତ୍ର ଚୁମ୍ବନ ଦ୍ୱାରା ପରସ୍ପରକୁ ଅଭିନନ୍ଦନ ଜଣାଅ।

21 ମୁଁ ପାଉଲ ନିଜ ହାତରେ ଏସବୁ ଲେଖୁଛି। ତୁମ୍ଭେମାନେ ମୋର ଶୁଭେଚ୍ଛା ଗ୍ରହଣ କର।

22 ଯେ ପ୍ରଭୁଙ୍କୁ ପ୍ରେମ ନ କରେ, ସେ ଅଭିଶପ୍ତ ହେଉ। ‘ମାରାନା ଥା’ ଅର୍ଥାତ୍ ଆମର ପ୍ରଭୁ ଆସନ୍ତୁ।

23 ପ୍ରଭୁ ଯୀଶୁଙ୍କ ଅନୁଗ୍ରହ ତୁମ୍ଭମାନଙ୍କ ମଧ୍ୟରେ ବିରାଜମାନ ହେଉ।

24 ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହୋଇଥିବା ତୁମେ ସମସ୍ତେ ମୋ’ ଅନ୍ତରର ପ୍ରେମ ଗ୍ରହଣ କର।

Odia (CL) NT - ପବିତ୍ର ବାଇବଲ

© The Bible Society of India, 2018.

Used by permission. All rights reserved worldwide.

Bible Society of India
Následuj nás:



Reklamy