2 ବଂଶାବଳୀ 27 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NTଯିହୁଦାର ରାଜା ଯୋଥମ୍ 1 ଯୋଥମ୍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ପଚିଶ ବର୍ଷ ବୟସ୍କ ହୋଇଥିଲେ; ସେ ଯିରୂଶାଲମରେ ଷୋଳ ବର୍ଷ ରାଜ୍ୟ କଲେ; ତାଙ୍କର ମାତାଙ୍କ ନାମ ଯିରୁଶା, ଯେ ସାଦୋକର କନ୍ୟା ଥିଲେ। 2 ପୁଣି, ସେ ଆପଣା ପିତା ଉଷୀୟଙ୍କର ସମସ୍ତ କ୍ରିୟାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ; ତଥାପି ସେ ସଦାପ୍ରଭୁଙ୍କ ମନ୍ଦିରରେ ପ୍ରବେଶ କଲେ ନାହିଁ। ଆଉ, ଲୋକମାନେ ସେସମୟରେ ହେଁ ଦୁରାଚରଣ କଲେ। 3 ସେ ସଦାପ୍ରଭୁଙ୍କ ଗୃହର ଉପର ଦ୍ୱାର ଦୃଢ଼ କଲେ, ପୁଣି ଓଫଲର ପ୍ରାଚୀର ଉପରେ ଅନେକ ସ୍ଥାନ ନିର୍ମାଣ କଲେ। 4 ଆହୁରି, ସେ ଯିହୁଦାର ପର୍ବତମୟ ଦେଶରେ ନାନା ନଗର ଓ ବନରେ ଗଡ଼ ଓ ଦୁର୍ଗସବୁ ନିର୍ମାଣ କଲେ। 5 ମଧ୍ୟ ସେ ଅମ୍ମୋନ-ସନ୍ତାନଗଣର ରାଜା ସଙ୍ଗେ ଯୁଦ୍ଧ କରି ସେମାନଙ୍କୁ ପରାସ୍ତ କଲେ; ତହିଁରେ ଅମ୍ମୋନ-ସନ୍ତାନଗଣ ସେହି ବର୍ଷ ତାଙ୍କୁ ଏକ ଶହ ତାଳନ୍ତ ରୂପା ଓ ଦଶ ସହସ୍ର ମହଣ ଗହମ ଓ ଦଶ ସହସ୍ର ମହଣ ଯବ ଦେଲେ। ଅମ୍ମୋନ-ସନ୍ତାନଗଣ ଦ୍ୱିତୀୟ ଓ ତୃତୀୟ ବର୍ଷ ମଧ୍ୟ ସେତିକି ତାଙ୍କୁ ଦେଲେ। 6 ଏହିରୂପେ ଯୋଥମ୍ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ସମ୍ମୁଖରେ ଆପଣା ପଥ ସଜାଡ଼ିବାରୁ ପରାକ୍ରାନ୍ତ ହେଲେ। 7 ଏହି ଯୋଥମ୍ଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସକଳ ଯୁଦ୍ଧ ଓ ତାଙ୍କର ଆଚରଣ ବିଷୟ, ଦେଖ, ଇସ୍ରାଏଲର ଓ ଯିହୁଦାର ରାଜାମାନଙ୍କ ପୁସ୍ତକରେ ଲେଖାଅଛି। 8 ସେ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ପଚିଶ ବର୍ଷ ବୟସ୍କ ହୋଇଥିଲେ ଓ ଯିରୂଶାଲମରେ ଷୋଳ ବର୍ଷ ରାଜ୍ୟ କଲେ। 9 ପୁଣି, ଯୋଥମ୍ଙ୍କ ମୃତ୍ୟୁ ପରେ, ଲୋକମାନେ ଦାଉଦ-ନଗରରେ ତାଙ୍କୁ କବର ଦେଲେ; ତହୁଁ ତାଙ୍କର ପୁତ୍ର ଆହସ୍ ତାଙ୍କର ପଦରେ ରାଜ୍ୟ କଲେ। |
ORY-IRV
Creative Commons License
Indian Revised Version (IRV) - Odia (ଇଣ୍ଡିଆନ୍ ରିୱାଇଜ୍ଡ ୱର୍ସନ୍ - ଓଡିଆ), 2019 by Bridge Connectivity Solutions Pvt. Ltd. is licensed under a Creative Commons Attribution-ShareAlike 4.0 International License. This resource is published originally on VachanOnline, a premier Scripture Engagement digital platform for Indian and South Asian Languages and made available to users via vachanonline.com website and the companion VachanGo mobile app.
Bridge Connectivity Solutions Pvt. Ltd.